୧୫ ଜୁଲାଇରେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ

୬୦୩ କୋଟି ଟଙ୍କାର ମିସନ୍‌ ମହାକାଶ ଯାନର ମୋଟ ଓଜନ ୩.୮ ଟନ୍‌

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ବିତୀୟ ଚନ୍ଦ୍ର ଅଭିଯାନ ପାଇଁ ଏବେ ସଂପୂର୍ଣ୍ଣ ତୟାର ରହିଛି। ଭାରତର ଏହି ମହାକାଶ ଅଭିଯାନ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ସଂପର୍କରେ ଆଜି ଇସ୍ରୋ ଅଧ୍ୟକ୍ଷ କେ. ଶିବାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜୁଲାଇ ୧୫ ତାରିଖ ଭୋର୍‌ ୨ଟା ୫୧ ସମୟରେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ କରାଯିବ ବୋଲି ଶିବାନ କହିଛନ୍ତି। ଆଜି ବେଙ୍ଗାଲୁରୁରେ ଚନ୍ଦ୍ରଯାନ-୨ର ଏକ ସ୍ବତନ୍ତ୍ର ୱେବ୍‌ସାଇଟ୍‌କୁ ମଧ୍ୟ ଆରମ୍ଭ କରାଯାଇଛି। ଚନ୍ଦ୍ରଯାନ-୨ ଏକ ଅତି ଜଟିଳ ମିସନ୍‌ ଏବଂ ୧୫ ମିନିଟ୍‌ର ଏହି ଅପରେସନରେ ଲ୍ୟାଣ୍ଡର୍‌ (ବିକ୍ରମ) ଅବତରଣ ସର୍ବାଧିକ ରୋମାଞ୍ଚ ସୃଷ୍ଟିକାରୀ ମୁହୂର୍ତ୍ତ ହେବ ବୋଲି ସେ କହିଛନ୍ତି। ଚନ୍ଦ୍ରଯାନ-୧ର ଉତ୍‌କ୍ଷେପଣ ପାଇଁ ଇସ୍ରୋ ଯେଉଁ କୌଶଳ କାର୍ଯ୍ୟକାରୀ କରିଥିଲା ସେହି ସମାନ କୌଶଳ ଏଥର ମଧ୍ୟ ଚନ୍ଦ୍ରଯାନ-୨ ପାଇଁ ଗ୍ରହଣ କରାଯାଇଛି । ତେବେ ଅବତରଣ ପ୍ରକ୍ରିୟା ସଂପୂର୍ଣ୍ଣ ନୂତନ ଏବଂ ବହୁତ ବଡ଼ ଚ୍ୟାଲେଂଜ ବୋଲି ସେ କହିଛନ୍ତି।
ଏହି ଅଭିଯାନ ପାଇଁ ମୋଟ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଜିଏସ୍‌ଏଲ୍‌ଭି ଏମ୍‌କେ-୩ ରକେଟ୍‌ରେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବ। ଏହି ମହକାଶ ଯାନର ମୋଟ ଓଜନ ୩.୮ ଟନ୍‌ ରହିଥିବା ବେଳେ ଲ୍ୟାଣ୍ଡର୍‌ର ଓଜନ ୧.୪ ଟନ୍‌ ଏବଂ ଅର୍ବିଟରର ଓଜନ ୨.୪ ଟନ୍‌ ବୋଲି ଜଣାପଡ଼ିଛି। ଶିବାନ କହିଛନ୍ତି ଯେ ଅବିର୍ଟର ଉପରେ ଲ୍ୟାଣ୍ଡର ରଖାଯିବ। ଲ୍ୟାଣ୍ଡର୍‌, ଅର୍ବିଟର ଏବଂ ରୋଭର୍‌କୁ ନେଇ ଗଠିତ ‘କମ୍ପୋଜିଟ୍‌ ବଡି’କୁ ଜିଏଏସ୍‌ଏଲ୍‌ଭି ଏମ୍‌କେ-୩ ପ୍ରକ୍ଷେପଣ ଯାନର ହିଟ୍‌ ସିଲ୍‌ଡ ଭିତରେ ରଖାଯିବ। ଉତ୍‌କ୍ଷେପଣର ୧୫ ମିନିଟ୍‌ ପରେ ଏହା ଅଲଗା ହୋଇ ଚନ୍ଦ୍ର ଆଡ଼କୁ ବଢ଼ିବ।
ପୂର୍ବରୁ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨କୁ ଜୁଲାଇ ୯ରୁ ୧୬ ତାରିଖ ଭିତରେ ଚନ୍ଦ୍ରପୃଷ୍ଠକୁ ପଠାଇବା ପାଇଁ ଘୋଷଣା ହୋଇଥିଲା। ଆଜି ଉତ୍‌କ୍ଷେପଣ ତାରିଖ ଘୋଷଣା ପରେ ଏହାକୁ ନେଇ ବିଶ୍ବବ୍ୟାପୀ ଉତ୍କଣ୍ଠା ପ୍ରକାଶ ପାଇଛି। ଚନ୍ଦ୍ର ପୃଷ୍ଠରେ ପାଣି ଏବଂ ଖଣିଜ ପଦାର୍ଥ ସନ୍ଧାନରେ ଏହି ମିସନ୍‌ କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର