ଚନ୍ଦ୍ରଯାନ-୨: ଅର୍ବିଟର ଖୋଲିବ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବର ରହସ୍ୟ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଅର୍ବିଟର ଏବେ ସଫଳତାର ସହ ତା’ର କାର୍ଯ୍ୟ ଜାରି ରଖିଛି। ଅର୍ବିଟର ପଠାଇଥିବା ଫଟୋ ଏବଂ ଅନ୍ୟ ତଥ୍ୟରୁ ଲ୍ୟାଣ୍ଡର୍‌ ବିକ୍ରମର ସଠିକ୍‌ ଅବସ୍ଥିତି ଜଣାପଡ଼ିଥିବା ବେଳେ ଏବେ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବର ରହସ୍ୟ ମଧ୍ୟ ଭାରତର ଅର୍ବିଟର ଉନ୍ମୋଚିତ କରିବ ବୋଲି ଆଶା ରହିଛି। ବିକ୍ରମ ଲ୍ୟାଣ୍ଡର ସହ ସଂପର୍କ ଏ ପର୍ଯ୍ୟନ୍ତ ସ୍ଥାପନ ହୋଇପାରି ନଥିଲେ ବି ଅର୍ବିଟର ମାଧ୍ୟମରେ ଅନେକ କିଛି ହାସଲ ହୋଇପାରିବ ବୋଲି ଇସ୍ରୋ ସୂତ୍ରରୁ ଜଣାପଡ଼ିଛି। ଅର୍ବିଟର ଚନ୍ଦ୍ରର ଅନ୍ଧକାର ପାର୍ଶ୍ବର ଫଟୋ ବିଭିନ୍ନ ଦିଗରୁ ପଠାଇବ ଏବଂ ଏଥିରୁ ଉକ୍ତ ଅଂଚଳରେ ସୂର୍ଯ୍ୟାଲୋକ କାହିଁକି ପଡ଼ୁନାହିଁ ସେ ବାବଦରେ ଜଣାପଡ଼ିବ। ଇସ୍ରୋର ପୂର୍ବ ଅଧ୍ୟକ୍ଷ ଏଏସ୍‌ କିରଣ କୁମାର କହିଛନ୍ତି ଯେ ଆମେ ଚନ୍ଦ୍ରଯାନ-୧ଠାରୁ ଯଥେଷ୍ଟ ଅଧିକ ପରିଣାମ ଚନ୍ଦ୍ରଯାନ-୨ର ଅର୍ବିଟରଠାରୁ ଆଶା କରୁଛୁ। ଏଥିରେ ଥିବା ଅତ୍ୟାଧୁନିକ ଫ୍ରିକ୍ବେଂସି ସେଂସର୍ସ ଦ୍ବାରା ଚନ୍ଦ୍ରର ଅନ୍ଧକାର ପାର୍ଶ୍ବର ମ୍ୟାପିଂ ହୋଇପାରିବ। ଅର୍ବିଟରରେ ଅତି ଶକ୍ତିଶାଳୀ କ୍ୟାମେରା ରହିଛି ଏବଂ ପୂର୍ବର ଅର୍ବିଟର ଅପେକ୍ଷା ଏହା ସବୁ ଦୃଷ୍ଟିରୁ ଅଧିକ ଉନ୍ନତ ବୋଲି ସେ କହିଛନ୍ତି। ଅର୍ବିଟର ଦ୍ବାରା ଚନ୍ଦ୍ରର ଗଠନ, ଖଣିଜ ଏବଂ ପାଣିର ଉପଲବ୍ଧି ଆଦି ନେଇ ନୂଆ ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି। ଚନ୍ଦ୍ରଯାନ-୨ର ଅର୍ବିଟର ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହି କାର୍ଯ୍ୟ ସଂପାଦନ କରିବ । ଏବେ ଚନ୍ଦ୍ର ପୃଷ୍ଠରୁ ୧ ଶହ କିମି ଉଚ୍ଚତାରେ ଅର୍ବିଟର ରହିଛି ।

ସମ୍ବନ୍ଧିତ ଖବର