ବିକ୍ରମ ସହ ସଂପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି : ମାତ୍ର ୩୩୫ ମିଟର ଦୂରତାରେ ସମ୍ପର୍କ ଛିନ୍ନ ହୋଇଥିଲା

ବେଙ୍ଗାଲୁରୁ : ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୨ ଅଭିଯାନକୁ ନେଇ ଏବେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ଚନ୍ଦ୍ର ପୃଷ୍ଠରୁ ମାତ୍ର ୩୩୫ ମିଟର ଉଚ୍ଚତାରେ ଥିବା ବେଳେ ସଂପର୍କ ଛିନ୍ନ ହୋଇଥିଲା ବୋଲି ଜଣାପଡ଼ିଛି। ପୂର୍ବ ଡାଟାରୁ ଏହା ୨.୧ କିମି ଉଚ୍ଚତାରେ ଥିବା ବେଳେ ସଂପର୍କ ଛିନ୍ନ ହୋଇଥିବା ଆକଳନ କରାଯାଇଥିଲା। ତେବେ ଅର୍ବିଟର ମାଧ୍ୟମରେ ଗ୍ରହଣ କରାଯାଇଥିବା ଡାଟାରୁ ଏହା ମାତ୍ର ୩୩୫ ମିଟର ଉଚ୍ଚତାରେ ଥିବା ବେଳେ ସଂପର୍କ ଛିନ୍ନ ହୋଇଥିବା ସ୍ପଷ୍ଟ ହୋଇଛି।

ଇସ୍ରୋ ମୁଖ୍ୟ କେ ଶିବାନ୍‌ ବୈଜ୍ଞାନିକମାନଙ୍କୁ କହିଛନ୍ତି, ଚନ୍ଦ୍ରଯାନ-୨ ସଂପର୍କରେ ଅଧିକ ଚିନ୍ତା ନକରି ଭବିଷ୍ୟତର ପ୍ରକଳ୍ପଗୁଡ଼ିକ ଉପରେ ଫୋକାସ୍‌ କରିବାକୁ ହେବ। ଚନ୍ଦ୍ରଯାନ-୨ ଅର୍ବିଟର ସାଇନ୍ସ ଶତ ପ୍ରତିଶତ ସଫଳ ରହିଛି ଏବଂ ଅବତରଣ ଜ୍ଞାନକୌଶଳରେ ଆମକୁ ୯୫ ପ୍ରତିଶତ ସଫଳତା ମିଳିଛି। ଇସ୍ରୋ ନିକଟରେ ଲ୍ୟାଣ୍ଡର ବିକ୍ରମ ସହିତ ସଂପର୍କ ସ୍ଥାପନ ପାଇଁ ୨୧ ସେପ୍‌ଟେମ୍ବର ପର୍ଯ୍ୟନ୍ତ ସମୟ ରହିଛି ଏବଂ ଏହି ଅବଧିରେ ଲଗାତାର ପ୍ରୟାସ ଜାରି ରହିବ ବୋଲି ଶିବାନ୍‌ କହିଛନ୍ତି। ଏବେ ଇସ୍ରୋ ସୌର ଅଭିଯାନ ପ୍ରକଳ୍ପ ଏବଂ ମହାକାଶକୁ ମାନବ ଚାଲାଣ ମିସନ୍‌ ଉପରେ ଫୋକସ୍‌ କରୁଛି। ନାସା ସହିତ ଇସ୍ରୋର କେତେକ ମିଳିତ ପ୍ରକଳ୍ପ ପାଇଁ ମଧ୍ୟ କାମ ଚାଲିଛି । ବିକ୍ରମର ସଠିକ୍‌ ଅବସ୍ଥିତି ଅର୍ବିଟର ମାଧ୍ୟମରେ ଜଣାପଡ଼ିଥିବାରୁ ଏହାକୁ କମାଣ୍ଡ୍‌ ପଠାଇ ସକ୍ରିୟ କରାଇବାକୁ ଇସ୍ରୋର ଏକ ସ୍ବତନ୍ତ୍ର ଟିମ୍‌ ପ୍ରୟାସ କରୁଛନ୍ତି।

ସମ୍ବନ୍ଧିତ ଖବର