ଚନ୍ଦ୍ରଯାନରୁ ଅଲଗା ହେଲା ବିକ୍ରମ : ଚନ୍ଦ୍ର ପୃଷ୍ଠ ଆଡ଼କୁ ଅଗ୍ରସର ହେଉଛି, ୭ରେ ସୂକ୍ଷ୍ମ ଅବତରଣ

ନୂଆଦିଲ୍ଲୀ : ଭାରତର ମହତ୍ବାକାଂକ୍ଷୀ ଚନ୍ଦ୍ର ଅଭିଯାନ ଆଜି ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ‘ଚନ୍ଦ୍ରଯାନ-୨’ ଅର୍ବିଟରରୁ ଆଜି ଲ୍ୟାଣ୍ଡର୍‌ ‘ବିକ୍ରମ’ ସଫଳତାର ସହ ଅଲଗା ହୋଇଛି। ଅର୍ବିଟରରୁ ଅଲଗା ହେବାମାତ୍ରେ ହିଁ ‘ବିକ୍ରମ’ ଚନ୍ଦ୍ରମା ଆଡ଼କୁ ତା’ର ନିର୍ଦ୍ଧାରିତ ବେଗରେ ଅଗ୍ରସର ହେଉଛି। ଭାରତୀୟ ସମୟାନୁସାରେ ଆଜି ଅପରାହ୍ନ ୧ଟା ୩୫ରେ ଅର୍ବିଟରରୁ ‘ବିକ୍ରମ’ ଅଲଗା ହୋଇଥିଲା। ‘ବିକ୍ରମ’ ୭ ସେପ୍ଟେମ୍ବରରେ ଚନ୍ଦ୍ରମାର ଦକ୍ଷିଣ ପାର୍ଶ୍ବରେ ସୂକ୍ଷ୍ମ ଅବତରଣ କରିବ ଏବଂ ଏହାର ୪ ଘଣ୍ଟା ପରେ ରୋଭର ‘ପ୍ରଜ୍ଞାନ’ ଏଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହା ୫୦୦ ମିଟର ଦୂରତା ଅତିକ୍ରମ କରି ତଥ୍ୟ ସଂଗ୍ରହ କରିବ ବୋଲି ଜଣାପଡ଼ିଛି। ‘ବିକ୍ରମ’ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପରେ ଚନ୍ଦ୍ରମାଠାରୁ ପୃଥିବୀର ବାସ୍ତିବକ ଦୂରତା ସଂପର୍କରେ ଜଣାପଡ଼ିଯିବ, ଯାହାକି ଏ ପର୍ଯ୍ୟନ୍ତ ଅନେକ ଦୃଷ୍ଟିରୁ ଏକ ରହସ୍ୟ ହୋଇ ରହିଛି।

ଆମେରିକାର ମହାକାଶ ପ୍ରତିଷ୍ଠାନ ନାସା ଚନ୍ଦ୍ରଯାନ-୨ ସହିତ ନିଜର ଏକ ଲୁନାର ‘ଲେଜର ରେଟ୍ରୋରିଫ୍ଲେକ୍ଟର ଏରେ’ ପଠାଇଛି ଯାହାକି ବୈଜ୍ଞାନିକଙ୍କୁ ଚନ୍ଦ୍ରମାର ପ୍ରକୃତ ଦୂରତା ସଂପର୍କରେ ଜଣାଇବ। ନାସାର ଜଣେ ବରିଷ୍ଠ ଅଧିକାରୀ ଗୋରି ଗ୍ଲେଜ୍‌ କହିଛନ୍ତି ଯେ ଆମେ ଚନ୍ଦ୍ର ପୃଷ୍ଠରେ ଅଧିକରୁ ଅଧିକ ‘ଲେଜର ରେଟ୍ରୋରିଫ୍ଲେକ୍ଟର ଏରେ’ ପଠାଇବାକୁ ଚାହୁଛୁ। ଏହା ଏକ ପ୍ରକାର ସ୍ବଚ୍ଛ କାଚ ଯାହା ପୃଥିବୀରୁ ପଠାଯାଇଥିବା ଲେଜର ଲାଇଟର ସିଗ୍‌ନାଲକୁ ପୁଣି ସେଠାରୁ ପଠାଇ ପାରିବ। ଲେଜର ଲାଇଟ୍‌ ପୁଣି ପୃଥିବୀକୁ ଆସିବା ପରେ ‘ଲ୍ୟାଣ୍ଡର’ର ବାସ୍ତବିକ ସ୍ଥାନ ସଂପର୍କରେ ଜଣାପଡ଼ିବ ଏବଂ ଏହା ଦ୍ବାରା ପୃଥିବୀରୁ ଚନ୍ଦ୍ରର ସଠିକ୍‌ ଦୂରତାର ଆକଳନ କରାଯାଇପାରିବ।

ସୂଚନାଯୋଗ୍ୟ ଯେ ଚନ୍ଦ୍ରପୃଷ୍ଠରେ ଏଭଳି ୫ଟି ଉପକରଣ ପୂର୍ବରୁ ରହିଛି ଏବଂ ସେଥିରୁ ଅନେକ କାମ କରିବା ସ୍ଥିତିରେ ନାହିଁ। ୨୧ ଜୁଲାଇ ୧୯୬୯ରେ ଯେତେବେଳେ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ଆମେରିକାର ଅନ୍ତରୀକ୍ଷ ଯାତ୍ରୀ ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍ ଆପୋଲୋ ୧୧ ମାଧ୍ୟମରେ ପଦାର୍ପଣ କରିଥିଲେ ସେତେବେଳେ ସେ ଚନ୍ଦ୍ରପୃଷ୍ଠରେ ଲେଜର ରେଟ୍ରୋରିଫ୍ଲେକ୍ଟର ଛାଡ଼ି ଆସିଥିଲେ। ୫୦ ବର୍ଷ ପରେ ମଧ୍ୟ ଏହା କାମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର