ଚେନ୍ନାଇ: ଜୁଲାଇ ୧୫ ପ୍ରତ୍ୟୁଷରେ ଭାରତର ଓଜନଦାର ରକେଟ୍ ‘ବାହୁବଳୀ’ ‘ଚନ୍ଦ୍ରାୟନ-୨’ ମହାକାଶ ଯାନକୁ ଉତ୍କ୍ଷେପଣ କରିବା ପୂର୍ବରୁ ୨୦ ଘଣ୍ଟିଆ ଓଲଟଗଣନ ରବିବାର ୬: ୧୫ରୁ ଆରମ୍ଭ ହୋଇଛି ବୋଲି ଭାରତୀୟ ମହାକାଶ ଏଜେନ୍ସିର ଜଣେ ଶୀର୍ଷସ୍ତରୀୟ ଅଧିକାରୀ କହିଛନ୍ତି।
ସକାଳ ୬: ୧୫ରେ ଓଲଟଗଣନ ଆରମ୍ଭ ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ଅଧ୍ୟକ୍ଷ କେ. ଶିବନ କହିଛନ୍ତି।
‘ବାହୁବଳୀ’ ହେଉଛି ୪୪ ମିଟର ଉଚ୍ଚ ଏବଂ ୬୪୦ ଟନ୍ ଓଜନବିଶିଷ୍ଟ ରକେଟ୍ ଯାହାର ପ୍ରକୃତ ନାମ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ-ମାର୍କ ଥ୍ରି ବା ଜିଏସ୍ଏଲ୍ଭି-ଏମ୍କେ ଥ୍ରି। ବାହୁବଳୀ ସିନେମାର ନାୟକ ଭାରୀ ଶିବଲିଙ୍ଗ ଉଠାଇଲା ଭଳି ଏହି ରକେଟ୍ ୩. ୮ ଟନ୍ ଓଜନବିଶିଷ୍ଟ ଚନ୍ଦ୍ରାୟନ-୨ ମହାକାଶ ଯାନକୁ ଉଠାଇ ନେଇ ଉତ୍କ୍ଷେପଣ କରିବ।

ପ୍ରାୟ ୧୬ ମିନିଟ୍ର ଉଡ଼ାଣରେ ୩୭୫ କୋଟି ଟଙ୍କା ମୂଲ୍ୟର ଜିଏସ୍ଏଲ୍ଭି-ଏମ୍କେ ଥ୍ରି ରକେଟ୍ ୬୦୩ କୋଟି ଟଙ୍କାବିଶିଷ୍ଟ ଚନ୍ଦ୍ରାୟନ-୨କୁ ଉଠାଇ ନେଇ ୧୭୦x୪୦୪୦୦ କିଲୋମିଟର୍ କକ୍ଷପଥରେ ଛାଡ଼ିବ। ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର୍ ପ୍ରଜ୍ଞାନ ସହ ସେଠାରୁ ଚନ୍ଦ୍ରାୟନ-୨ ଚନ୍ଦ୍ର ଆଡ଼କୁ ଗତି କରିବ।
ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ପ୍ରାୟ ୩. ୮୪୪ ଲକ୍ଷ କିଲୋମିଟର।