ନୂଆଦିଲ୍ଲୀ: ଅକ୍ଟୋବର ପ୍ରଥମ ସପ୍ତାହରେ ଉତ୍କ୍ଷେପଣ କରାଯିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଭାରତର ଚନ୍ଦ୍ରାୟନ-୨ ଅଭିଯାନକୁ ଡିସେମ୍ବର ମାସ ଯାଏଁ ସ୍ଥଗିତ ରଖାଯାଇଥିବା କଥା ଇସ୍ରୋ ସୂତ୍ରରୁ ଜଣାପଡ଼ିଛି।
ମୂଳରୁ ଏପ୍ରିଲ୍ ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନକୁ ପୁଣି ଦ୍ୱିତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି। ଡିସେମ୍ବର ମାସରେ ଇସ୍ରାଏଲ୍ ଚନ୍ଦ୍ରାଭିଯାନ ଆରମ୍ଭ କରୁଥିବାରୁ ଚନ୍ଦ୍ରରେ ଅବତରଣ ପାଇଁ ବିଶ୍ୱର ଚତୁର୍ଥ ସ୍ଥାନ ଅକ୍ତିଆର କରିବାକୁ ତେଲ ଅଓ୍ଵିବ୍ ଏବଂ ନୂଆଦିଲ୍ଲୀ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଏ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଏବଂ ଚୀନ୍ ସେମାନଙ୍କର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇଛନ୍ତି।
୨୦୦୮ର ଚନ୍ଦ୍ରାୟନ-୧ ଅଭିଯାନରେ ଛଡ଼ା ଯାଇଥିବା ମହାକାଶଯାନଟି ଚନ୍ଦ୍ର ଚାରିପଟେ ଘୂରିବୁଲୁଥିବା ବେଳେ ଚନ୍ଦ୍ରାୟନ-୨ ଅଭିଯାନଟି ଅପେକ୍ଷାକୃତ ଜଟିଳ ହେବ। ଏଥିରେ ରହିଛି ଏକ ଅର୍ବିଟର୍, ଏକ ଲ୍ୟାଣ୍ଡର୍ ଏବଂ ଏକ ରୋଭର୍। ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ସେଠାରେ ଚଳପ୍ରଚଳ ହୋଇ ଚନ୍ଦ୍ରପୃଷ୍ଠସ୍ଥ ଉପାଦାନ ସବୁର ବିଶ୍ଳେଷଣ କରିବ। ଏଥର ଚନ୍ଦ୍ରାଭିଯାନ ଭାରତର ଚାଲେଞ୍ଜିଙ୍ଗ୍ ମିସନ୍ ହୋଇଥିବାରୁ ଇସ୍ରୋ ଖାମ୍ଖିଆଲି ହେବାକୁ ଚାହୁଁନାହିଁ। କାରଣ ଗତ ବର୍ଷ ଦୁଇଟି ସାଟେଲାଇଟ୍ ମିସନ୍ ବିଫଳ ହେବା ଦେଖିଛି ଇସ୍ରୋ।
ଚନ୍ଦ୍ରାୟନ-୨ ମହାକାଶଯାନର ଓଜନ ବଢ଼ାଯାଇଥିବାରୁ ଚାରିଟନ୍ ଓଜନରୁ ଅଧିକ ଉତ୍କ୍ଷେପଣ କରିପାରୁଥିବା ଜିଏସ୍ଏଲ୍ଭି ଏମ୍କେ ୩ ବା ଇସ୍ରୋର ଫ୍ୟାଟ୍ ବୟ ଏହାକୁ ଉତ୍କ୍ଷେପଣ କରିବ।