ଚନ୍ଦ୍ରପୃଷ୍ଠରେ ଥିବା ବିକ୍ରମ ସହ ଯୋଗାଯୋଗ ସ୍ଥାପନ ପାଇଁ ଇସ୍ରୋ ସହ ହାତ ମିଶାଇଲା ନାସା; ସଫଳତା ହାସଲ ପାଇଁ ରାତି ଦିନ କରିଦେଇଛି ଏକ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସୂଷ୍ମ ଅବତରଣ କରିବାରେ ବିଫଳ ହେବାପରେ ଲ୍ୟାଣ୍ଡର ବିକ୍ରମ ସହ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ନିଜର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଏବେ ଏହି ମାମଲାରେ ଇସ୍ରୋ ସହ ହାତ ମିଳାଇଛି ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା। ବିକ୍ରମ ସହ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ନାସାକୁ ଇସ୍ରୋ କର୍ତ୍ତୃପକ୍ଷ ଅନୁମତି ଦେବାପରେ ନାସା କର୍ତ୍ତୃପକ୍ଷ ଏବେ ରାତିଦିନ ଏକ କରି ଏହି କାର୍ଯ୍ୟରେ ଲାଗି ପଡ଼ିଥିବା ଜାଣିବାକୁ ମିଳିଛି।

ନାସା ଏବେ ନିଜର ଜେଟ୍‌ ପ୍ରଣୋଦନ ପ୍ରୟୋଗଶାଳା, ‘ଜେଟ୍‌ ପ୍ରୋପୁଲସନ୍‌ ଲାବୋରେଟୋରି’ (ଜେପିଏଲ୍‌) ମାଧ୍ୟମରେ ନିଜର ଗଭୀର ଅନ୍ତରୀକ୍ଷ ନେଟ୍‌ଓ୍ଵାର୍କ, ‘ଡିପ୍‌ ସ୍ପେସ୍‌ ନେଟଓ୍ଵାର୍କ’ (ଡିଏସ୍‌ଏନ୍‌)କୁ ବ୍ୟବହାର କରି ଲ୍ୟାଣ୍ଡର ବିକ୍ରମ ସହ ପୁନଃ ଯୋଗାଯୋଗ ସ୍ଥାପନ କରିବାକୁ ପ୍ରୟାସ ଆରମ୍ଭ କରି ଦେଇଛି। ଏହି ଉଦ୍ଦେଶ୍ୟରେ ନାସା ଭୂପୃଷ୍ଠରେ ରହିଥିବା ନିଜର ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆସ୍ଥିତ ଗୋଲଡ୍‌ଷ୍ଟୋନ୍‌, ସ୍ପେନ୍‌ର ମାଦ୍‌ରିଦ୍‌ ଓ ଅଷ୍ଟ୍ରେଲିଆର କାନ୍‌ବେରାରେ ଅବସ୍ଥିତ ଭୂପୃଷ୍ଠ କେନ୍ଦ୍ରଗୁଡ଼ିକରୁ ନିଜର ଗଭୀର ଅନ୍ତରୀକ୍ଷ ନେଟ୍‌ଓ୍ଵାକ ବ୍ୟବହାର କରି ଲ୍ୟାଣ୍ଡର ବିକ୍ରମକୁ ହାଇ ଫ୍ରିକ୍ୟୁଏନ୍ସି ରେଡିଓ ଓ ଲେଜର ସିଗ୍‌ନାଲ ପଠାଇବା ସହ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଆରମ୍ଭ କରିଛି। କାରଣ ନାସାର ଏହି ସବୁ ଭୂପୃଷ୍ଠ କେନ୍ଦ୍ରଗୁଡ଼ିକରେ ବିଭିନ୍ନ ଡିଗ୍ରିରେ ବିଭିନ୍ନ ଉଚ୍ଚତା ବିଶିଷ୍ଟ ଉଚ୍ଚଶକ୍ତି ସଂପନ୍ନ ଆଣ୍ଟେନା ଓ ରାଡାର ମହଜୁଦ୍‌ ରହିଛି। ମହାକାଶକୁ ଛଡ଼ା ଯାଉଥିବା ଯେ କୌଣସି ସାଟେଲାଇଟ୍‌ ସହ ଏହି ସବୁ କେନ୍ଦ୍ରରୁ ଯୋଗାଯୋଗ ସ୍ଥାପନ କରାଯାଇ ପାରିବ।

First Post

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଗତ ୭ ତାରିଖରେ ଚନ୍ଦ୍ରପୃଷ୍ଠ ଠାରୁ ୩୩୫ ମିଟର ଉଚ୍ଚତାରେ ଥାଇ ସୂକ୍ଷ୍ମ ଅବତରଣ ପାଇଁ ପ୍ରସ୍ତୁତ ଚଳାଇଥିବା ବେଳେ ଲାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ ହୋଇ ପଡ଼ିଥିଲା। ପରବର୍ତ୍ତୀ ସମୟରେ ଚନ୍ଦ୍ରଯାନ-୨ ସହ ମହାକାଶକୁ ଯାଇଥିବା ଅର୍ବିଟର ଲ୍ୟାଣ୍ଡର ବିକ୍ରମର ଯେଉଁ ଫଟୋ ଉଠାଇ ପଠାଇଥିଲା ସେଥିରୁ ଜାଣିବାକୁ ମିଳିଥିଲା ଯେ ଲ୍ୟାଣ୍ଡର ବିକ୍ରମ ତା’ର ପୂର୍ବ ନିର୍ଦ୍ଧାରିତ ସ୍ଥାନ ଠାରୁ ଅଳ୍ପ ଦୂରରେ ଅବତରଣ କରିଛି। ଏବଂ ବିକ୍ରମ ଭାଙ୍ଗିରୁଜି ନ ଯାଇ ଅକ୍ଷତ ଅବସ୍ଥାରେ ସାମାନ୍ୟ ଢ଼ଳିକି ଦଣ୍ଡାୟମାନ ଅବସ୍ଥାରେ ରହିଛି। ଏ ଘଟଣା ଜଣାପଡ଼ିବା ପରେ ପୁଣି ବିକ୍ରମକୁ ନେଇ ଅନ୍ତରୀକ୍ଷ ବୈଜ୍ଞାନିକମାନଙ୍କ ମନରେ ଆଶାର ସଂଚାର ହୋଇଥିଲା।

Business Standard

ତେବେ, ଏବେ ଏବେ ଅଚଳ ଅବସ୍ଥାରେ ଚନ୍ଦ୍ରପୃଷ୍ଠରେ ପଡ଼ି ରହିଥିବା ଲ୍ୟାଣ୍ଡର ବିକ୍ରମ ସୂର୍ଯ୍ୟ ରଶ୍ମିରୁ ଶକ୍ତି ସଂଗ୍ରହ ପୂର୍ବକ ମାତ୍ର ୧୪ ଦିନ ପାଇଁ କାର୍ଯ୍ୟକ୍ଷମ ରହିବାକୁ ସମର୍ଥ। ତେଣୁ, ୧୪ ଦିନର ଅବଧି ଶେଷ ହେବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ପୁନଃ ଯୋଗାଯୋଗ ସ୍ଥାପନ ପାଇଁ ଇସ୍ରୋ ସହ ନାସା ବି ନିଜର ରାତି ଦିନ ଏକ କରି ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର