ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ପଠାଇଲା ଚନ୍ଦ୍ରଯାନ-୨

ବାଙ୍ଗାଲୁରୁ : ଆଜି ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ ଦ୍ୱାରା ଉତ୍ତୋଳନ କରାଯାଇଥିବା ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ଜାରି କରାଯାଇଛି । ଏହାକୁ ଚନ୍ଦ୍ରଯାନ-୨ରେ ଲାଗିଥିବା ଶକ୍ତିଶାଳୀ ଟେରେନ ମ୍ୟାପିଂ କ୍ୟାମେରା-୨ ମାଧ୍ୟମରେ ଉତ୍ତୋଳନ କରାଯାଇଛି । ଗତ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୪୩୭୫ କିଲୋମିଟର ଉଚ୍ଚରୁ ଏହି ଫଟୋ ଉତ୍ତୋଳନ କରାଯାଇଛି ବୋଲି ଇସ୍ରୋ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । ଏହି ଫଟୋରେ ଜାକସନ କ୍ରେଟର, ମାକ୍‌ କ୍ରାଟର, ମିତ୍ରା କ୍ରାଟର ଓ କୋରେଲେଭ କ୍ରାଟରକୁ ଚିହ୍ନିତ କରାଯାଇଛି ।

 

ଗତ ୨୧ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରର ପ୍ରଥମ ଫଟୋଚିତ୍ର ପଠାଇଥିଲା । ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨୬୫୦ କିମି ଉଚ୍ଚରୁ ଏହି ଫଟୋ ଉଠାଇଥିଲା ଚନ୍ଦ୍ରଯାନ-୨ ।ଏହି ଚିତ୍ରରେ ମଧ୍ୟ ମାର ଓରିଏଣ୍ଟାଲ ବେସିନ ଓ ଆପୋଲୋ କ୍ରାଟର ସ୍ୱଷ୍ଟଭାବରେ ଦେଖାଯାଉଥିଲା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨କୁ ଜିଏସଏଲଭି ମାଧ୍ୟମରେ ମହାକାଶକୁ ପ୍ରେରଣ କରିଥିଲା । ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ।

ସମ୍ବନ୍ଧିତ ଖବର