ବିକ୍ରମକୁ ଠାବ କରିବା ପାଇଁ ‘ଇସ୍ରୋ’ର ଶେଷ ପ୍ରୟାସ
ନୂଆଦିଲ୍ଲୀ : ‘ଚନ୍ଦ୍ରଯାନ-୨’ର ଲ୍ୟାଣ୍ଡର ବିକ୍ରମକୁ ଠାବ କରିବାର ଶେଷ ସୁଯୋଗ ହାତଛଡ଼ା ନ କରିବାକୁ ‘ଇସ୍ରୋ’ର ବୈଜ୍ଞାନିକମାନେ ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ବୈଜ୍ଞାନିକମାନଙ୍କ ହାତରେ ଏବେ ଆଉ ମାତ୍ର ୨୪ ଘଣ୍ଟା ବାକି ଅଛି। ଏହି ୨୪ ଘଣ୍ଟା ମଧ୍ୟରେ ବିକ୍ରମକୁ ଠାବ ନ କରିପାରିଲେ ବିକ୍ରମ ସହ ଆଉ କେବେ ବି ଯୋଗାଯୋଗ ସମ୍ଭବ ହୋଇ ପାରିବନାହିଁ। ସୂଚନାଯୋଗ୍ୟ, ସେପ୍ଟମ୍ବର ୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଏହା ପରଠାରୁ ବିକ୍ରମ ସହ ଯୋଗାଯୋଗ ପାଇଁ ‘ଇସ୍ରୋ’ ବୈଜ୍ଞାନିକମାନେ ନିରବଛିନ୍ନ ଉଦ୍ୟମ କରିଆସୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେପ୍ଟେମ୍ବର ୭ରୁ ୨୧ ଯାଏ ଚନ୍ଦ୍ରରେ ‘ଲୁନାର୍ ଡେ’ ସମୟ ଥାଏ। ଏହି ସମୟରେ ଚନ୍ଦ୍ରରେ ପର୍ଯ୍ୟପ୍ତ ସୂର୍ଯ୍ୟାଲୋକ ପଡ଼ିଥାଏ ଏବଂ ଆଲୋକର ଉପସ୍ଥିତି ଯୋଗୁଁ ବିକ୍ରମ ସହ ଯୋଗାଯୋଗ କରିବା ସମ୍ଭାବନା ରହିଛି, ଯାହା ଆସନ୍ତାକାଲିଠାରୁ ଆଉ ସମ୍ଭବ ହେବ ନାହିଁ। ସେପ୍ଟେମ୍ବର ୨୧ ତାରିଖ ପରେ ଚନ୍ଦ୍ରରେ ରାତ୍ରୀ ଆରମ୍ଭ ହୋଇଯିବ। ଏହି ସମୟରେ ଚନ୍ଦ୍ରରେ ଘନ ଅନ୍ଧକାର ମାଡ଼ି ଆସିବ। ଆଉ ଏଭଳି ଅନ୍ଧାର ମଧ୍ୟରେ ବିକ୍ରମ ସହ ସମ୍ପର୍କ ସ୍ଥାପନ କରିବା ଆଦୌ ସମ୍ଭବପର ହୋଇପାରିବ ନାହିଁ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି। ଆସନ୍ତାକାଲି ଲୁନାର ଡେ (ଚନ୍ଦ୍ର ଦିବସ) ଶେଷ ହେଉଥିବାରୁ ଏହା ଏବେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇଦେଇଛି।