ନୂଆଦିଲ୍ଳୀ: ମହାକାଶ ଜଗତରେ ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡ୍ର ମଡ୍ୟୁଲ୍ ଅଗଷ୍ଟ ୨୩ (ଆଜି) ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ସମଗ୍ର ବିଶ୍ୱର ଆଖି ଏବେ ଭାରତ ଉପରେ ରହିଛି।
ଜାଣିବାକୁ ମିିଳିଛି ଯେ ‘ଚନ୍ଦ୍ରଯାନ-୩’ର ସଫଳତା ପଛରେ ଫିରୋଜାବାଦର ଯୋଗଦାନ ରହିଛି। ଏହି ମିସନ୍ରେ ଇସ୍ରୋ ସହିତ ଫିରୋଜାବାଦର ଜଣେ ଯୁବ ବୈଜ୍ଞାନିକ ସାମିଲ୍ ଅଛନ୍ତି। ଧର୍ମେନ୍ଦ୍ର ପ୍ରତାପ ଯାଦବ ନାମକ ଏହି ଯୁବ ବୈଜ୍ଞାନିକ ଜଣକ ‘ଚନ୍ଦ୍ରଯାନ-୩’ର ଶୁଭାରମ୍ଭରେ ସାମିଲ୍ ରହିଥିଲେ।
ଉତ୍ତରପ୍ରଦେଶରର ଫିରୋଜାବାଦ ଜିଲ୍ଲାର ତୁଣ୍ଡଲା ସହରର ଏକ ଛୋଟ ଗାଁ ଟିକିରି ନିବାସୀ ଧର୍ମେନ୍ଦ୍ର ପ୍ରତାପ ଯାଦବ ଏହି ମିସନ୍ରେ ସାମିଲ୍ ଥିବା ବେଳେ ତାଙ୍କ ଗ୍ରାମବାସୀମାନେ ମିସନର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି।
ଧର୍ମେନ୍ଦ୍ର ପ୍ରତାପଙ୍କ ପିତାଙ୍କ ନାମ ଶମ୍ଭୁଦୟାଲ ଯାଦବ ଏବଂ ମାତାଙ୍କ ନାମ କମଲା। ତାଙ୍କ ପିତା ବୃତ୍ତି ଅନୁଯାୟୀ ଜଣେ କୃଷକ। ଧର୍ମେନ୍ଦ୍ର ନିଜେ ଫିରୋଜାବାଦର ବ୍ରଜରାଜ ସିଂ ଇଣ୍ଟର କଲେଜରୁ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ଆରମ୍ଭରୁ ସେ ପାଠପଢ଼ାରେ ବହୁତ ଭଲ ଥିଲେ। ଏହାପରେ ସେ ହିନ୍ଦୁସ୍ତାନ କଲେଜ, ମଥୁରାରୁ ବି.ଟେକ୍ କରିଥିଲେ ଏବଂ ପରେ ଜଲନ୍ଦରରୁ ଏମ୍ଟେକ୍ ଅଧ୍ୟୟନ କରିଥିଲେ।
ସେ ୨୦୧୧ ମସିହାରୁ ବାଙ୍ଗାଲୋରର ଇସ୍ରୋରେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଆସୁଛନ୍ତି। ‘ଚନ୍ଦ୍ରଯାନ-୩’ର ସଫଳ ବିମାନ ଉଡ଼ାଣ ପରଠାରୁ ତାଙ୍କ ଘରେ ଅଭିନନ୍ଦନର ସୁଅ ଛୁଟିଛି। ପୁଅର ଏହି ସଫଳତା ପାଇଁ ପରିବାର ଲୋକ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛନ୍ତି। ବର୍ତ୍ତମାନ କେବଳ ସେହି ସମୟକୁ ଅପେକ୍ଷା ରହିଛି, ଯେତେବେଳେ ଲ୍ୟାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଏବଂ ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିବ।