ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତାରେ ଶିଳ୍ପର ଜଗତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଶେଷ କରି ଘରୋଇ କଂପାନିଗୁଡ଼ିକ ଅନେକ ଗୁରୁତ୍ବପୂର୍ଣ୍ଣ ଉପକରଣ ଇସ୍ରୋକୁ ଯୋଗାଇ ଦେଇଛନ୍ତି। ଏଲ୍ଆଣ୍ଡ୍ଟି ଲଞ୍ଚ୍ ଭେଇକିଲ୍ ପାଇଁ ଉପକରଣ ଯୋଗାଇ ଦେଇଥିଲା। ମିଶ୍ର ଧାତୁ ନିଗମ କୋବାଲ୍ଟଭିତ୍ତିକ, ନିକେଲଭିତ୍ତିକ ମିଶ୍ରଧାତୁ, ଟାଇଟାନିୟମ୍ ମିଶ୍ରଧାତୁ ଓ ସ୍ବତନ୍ତ୍ର ମାନର ଇସ୍ପାତ ଯୋଗାଇଥିଲା। ଭାରତ ହେଭି ଇଲେକ୍ଟ୍ରିକାଲ୍ସ ପକ୍ଷରୁ ଇସ୍ରୋକୁ ବ୍ୟାଟେରି ଯୋଗାଇ ଦିଆଯାଇଥିବା ବେଳେ ଏହାର ୱେଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଆଡାପ୍ଟର ପ୍ରଦାନ କରିଥିଲା। ଏମ୍ଟିଏଆର ଟେକ୍ନୋଲୋଜିସ୍ ନାମକ ସଂସ୍ଥା ଇଞ୍ଜିନ ଓ ବୁଷ୍ଟର ପମ୍ପ୍ ପ୍ରଦାନ କରିଥିଲା। ସେହିପରି, ଗୋଦରେଜ୍ ଏରୋସ୍ପେସ୍ ଓ ଅଙ୍କିତ୍ ଏରୋସ୍ପେସ୍ ଇଞ୍ଜିନ ଟ୍ରଷ୍ଟର, ଆଲୟ ଷ୍ଟିଲ୍, ଷ୍ଟେନ୍ଲେସ୍ ଷ୍ଟିଲ୍ଏ ଷ୍ଟିଲ୍ ଫାଷ୍ଟେନର୍ ପ୍ରଦାନ କରିଥିଲା। ୱାଲ୍ଚାନ୍ଦନଗର ଇଣ୍ଡଷ୍ଟ୍ରିଜ୍ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ହାର୍ଡଓୟାର ଉପକରଣ ପ୍ରଦାନ କରିଛି।
ଚନ୍ଦ୍ରଯାନ ପାଇଁ ୪୦୦ରୁ ଅଧିକ ଶିଳ୍ପସଂସ୍ଥା ଉପକରଣ ଯୋଗାଇଥିବା କୁହାଯାଉଛି। ମହାକାଶ ଗବେଷଣାକୁ ଦେଶରେ ବିଶେଷ ଗୁରୁତ୍ବ ଦିଆଯାଉଥିବା ବେଳେ ବହୁ ଷ୍ଟାର୍ଟଅପ୍ ସଂସ୍ଥା ରକେଟ୍ ଓ ଉପଗ୍ରହ ଆଦି ତିଆରି କରିବା ଉପରେ କାମ କରୁଛନ୍ତି। ଆଗାମୀ ଦିନରେ ଏହା ଏକ ବହୁତ ବଡ଼ ବଜାର ଭାବେ ଉଭା ହେବାକୁ ଯାଉଛି। ଚନ୍ଦ୍ରଯାନ-୩ ସଫଳ ହେବା ପରେ ଏହି କ୍ଷେତ୍ର ଆଗକୁ ଆହୁରି ତ୍ବରାନ୍ବିତ ହେବ। ବହୁ ସଂସ୍ଥା ଆଗକୁ ବଢ଼ିବା ଲାଗି ପ୍ରେରଣା ପାଇବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।