ଅହମଦାବାଦ: ଆଉ ଅଳ୍ପ କେତେ ଘଣ୍ଟା ପରେ ଭାରତର ତୃତୀୟ ଚନ୍ଦ୍ରାଭିଯାନ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ଐତିହାସିକ ଅବତରଣ କରିବାକୁ ଥିବା ବେଳେ ତାହାର ଅବତରଣ ନିମନ୍ତେ କିଭଳି ସ୍ଥାନ ଚୟନ କରାଗଲା ସେ ବିଷୟରେ ‘ଇସ୍ରୋ-ସ୍ପେସ୍ ଆପ୍ଲିକେସନ୍ସ୍ ସେଣ୍ଟର୍’ (ଏସ୍ଏସି) ଓ ‘ଫିଜିକାଲ୍ ରିସର୍ଚ ଲାବ୍ରଟରି’ର (ପିଆର୍ଏଲ୍) କେତେକ ବୈଜ୍ଞାନିକମାନେ କହିଛନ୍ତି।
ଚନ୍ଦ୍ରଯାନ-୧, ଚନ୍ଦ୍ରଯାନ-୨, ସିଲେନ୍ ଏବଂ ଆମେରିକା ନେତୃତ୍ବାଧୀନ ଲୁନାର ରିକୋନେସେନ୍ସ୍ ଅର୍ବିଟର୍ (ଏଲ୍ଆର୍ଓ) ମିସନ୍ ଭଳି ପୂର୍ବର ଚନ୍ଦ୍ର ଅଭିଯାନରୁ ପ୍ରାପ୍ତ କେତେକ ‘ଡାଟାସେଟ୍’କୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ପରେ ଚନ୍ଦ୍ରଯାନ-୩ର ଅବତରଣ ସ୍ଥାନ ଚୟନ କରାଯାଇଥିଲା ବୋଲି ସେମାନେ କହିଛନ୍ତି।
ସମ୍ପୃକ୍ତ ଅବତରଣ ସ୍ଥାନର ପ୍ରାକୃତିକ ଓ କୃତ୍ରିମ ମାନଚିତ୍ର ବା ‘ଟପୋଗ୍ରାଫି’, ଢାଲୁ, ଆଲୋକ ଏବଂ ବିପଦ ଏଡ଼ାଇବା ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା। ‘ଇସ୍ରୋ’ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନର ବୈଜ୍ଞାନିକ ଟିମ୍ ସବୁ ଚନ୍ଦ୍ରର ଦକ୍ଷିଣରେ ଥିବା ନିକଟତମ ପାର୍ଶ୍ବବର୍ତ୍ତୀ ଅକ୍ଷାଂଶର ୬୦ରୁ ୭୦ ଡିଗ୍ରି ମଧ୍ୟରେ ୪x୨.୪ କିଲୋମିଟର୍ ବିପଦମୁକ୍ତ ଅଞ୍ଚଳ ଖୋଜିବା ପାଇଁ ‘ମୁଭିଙ୍ଗ୍ ଉଇଣ୍ଡୋ ଟେକ୍ନିକ୍’ ବ୍ୟବହାର କରିଥିଲେ।
ଆମେରିକାର ‘ଏଲ୍ଆର୍ଓ’ର ଲୁନାର ଅର୍ବିଟର୍ ଲେଜର୍ ଅଲ୍ଟିମିଟର୍ (ଏଲ୍ଓଏଲ୍ଏ), ସିଲେନ୍, ଏବଂ ‘ଏଲ୍ଆର୍ଓ’ର ‘ନ୍ୟାରୋ ଆଙ୍ଗଲ୍ କ୍ୟାମେରା’ (ଏନ୍ଏସି)ରୁ ପ୍ରାପ୍ତ ‘ମିଡିୟମ୍-ରିଜୋଲ୍ୟୁସନ୍ ଡାଟା ବ୍ୟବହାର କରି ବୈଜ୍ଞାନିକମାନେ ଅଧିକ ବିଶ୍ଳେଷଣ ପାଇଁ ୨୦ଟି ଅବତରଣ ସ୍ଥାନ ଚୟନ କରିଥିଲେ।
ନିରୂପିତ ୨୦ଟି ସ୍ଥାନରୁ ‘ଚନ୍ଦ୍ରଯାନ-୨ ଅର୍ବିଟର୍’ରେ ଥିବା ‘ଓଏଚ୍ଆର୍ସି’ କ୍ୟାମେରାରୁ ପ୍ରାପ୍ତ ‘ହାଇ-ରିଜୋଲ୍ୟୁସନ୍ ଡାଟା’ ବ୍ୟବହାର କରି ୮ଟି ସ୍ଥାନକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପାଇଁ ନେଇଥିଲେ। ‘ଓଏଚ୍ଆର୍ସି’ ଉଠାଇଥିବା ଷ୍ଟେରିଓ ଇମେଜ୍ରୁ ୩୨ସିଏମ୍ ପିକ୍ସେଲ୍ ରିଜୋଲ୍ୟୁସନ୍ଠାରୁ ଭଲ ଉଠିଥିବା ୮ଟି ସ୍ଥାନର ଫଟୋଗୁଡ଼ିକଦ୍ବାରା ‘ଡିଜିଟାଲ୍ ଇଲେଭେସନ୍ ମଡେଲ୍’ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥିଲା। ଅମିତାଭ, କେ. ସୁରେଶ, ଅଜୟ କେ. ପ୍ରଶାର ଓ ଅବ୍ଦୁଲ୍ଲା ସୁହୈଲ୍ଙ୍କ ସମେତ ‘ହାଇ ରିଜୋଲ୍ୟୁସନ୍ ଡାଟା ପ୍ରୋସେସିଙ୍ଗ୍ ଡିଭିଜନ୍’ର ବୈଜ୍ଞାନିକ ଟିମ୍ ଏହା ଉପରେ ଏକ ‘ପେପର୍’ ପ୍ରକାଶ କରିଥିଲା।