ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ‘ଚନ୍ଦ୍ରଯାନ-୩’କୁ ସଫଳତାର ସହ ଉତ୍‌କ୍ଷେପଣ କରି ଏହି ଅଭିଯାନକୁ ନୂଆ ପର୍ଯ୍ୟାୟରେ ପହଞ୍ଚାଇଛି। ‘ଚନ୍ଦ୍ରଯାନ-୩’ ୪୦ ଦିନର ଯାତ୍ରା ପରେ ସଫଳ ଅବତରଣରେ ସକ୍ଷମ ହେଲେ ନୂଆ ଇତିହାସ ରଚିବ। ଆଜି ଅପରାହ୍ନ ୨ଟା ୩୫ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ୍‌ ହେବାର ପ୍ରାୟ ୧୫ ମିନିଟ୍‌ ପରେ ଚନ୍ଦ୍ରଯାନ ରକେଟ୍‌ରୁ ଅଲଗା ହୋଇଥିଲା। ଚନ୍ଦ୍ରରେ ପହଞ୍ଚିବା ପାଇଁ ଚନ୍ଦ୍ରଯାନ ୩.୮୪ ଲକ୍ଷ କିମି ଅତିକ୍ରମ କରିବ। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ରୋଭର ପ୍ରଜ୍ଞା ଏହାର ବିଭିନ୍ନ ରହସ୍ୟ ଭେଦ କରିବା ପାଇଁ ତଥ୍ୟ ସଂଗ୍ରହ କରିବ। ଏହି ତଥ୍ୟର ବ୍ୟାପକ ପରୀକ୍ଷାନିରୀକ୍ଷା ହେବ ଏବଂ ଚନ୍ଦ୍ରର ରହସ୍ୟ ଭେଦ ପାଇଁ ଏହା ନିର୍ଣ୍ଣାୟକ ହେବ।

Advertisment

୬୧୫ କୋଟିର ବଜେଟ୍‌

ଚନ୍ଦ୍ରଯାନ-୩ର ବଜେଟ୍‌ ପ୍ରାୟ ୬୧୫ କୋଟି ଟଙ୍କା ରହିଛି। ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ଉତ୍‌କ୍ଷେପଣ ପାଇଁ ମଧ୍ୟ ୩୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷାଲାଭ କରି ଚନ୍ଦ୍ରଯାନ-୩ର ପ୍ରସ୍ତୁତି ହୋଇଥିଲା। ଚନ୍ଦ୍ରଯାନ-୩ ମିସନକୁ ସଫଳ କରିବା ପାଇଁ ସମଗ୍ର ଉତ୍‌କ୍ଷେପଣ ପ୍ରସ୍ତୁତି ଏବଂ ପ୍ରକ୍ରିୟାକୁ ଅନୁସରଣ କରି ଏହା ଏକ ୨୪ ଘଣ୍ଟିଆ ‘ଲଞ୍ଚ୍ ରିହର୍ସାଲ’ କରାଯାଇଥିଲା। ବିଗତ ୫ ବର୍ଷ ମଧ୍ୟରେ ଇସ୍ରୋର ବାଣିଜ୍ୟିକ ମିସନ ବ୍ୟାପକ ହୋଇଥିବାରୁ ଆୟ ମଧ୍ୟ ବଢ଼ିଛି।

publive-image

ଭାରତର ବାହୁବଳୀ ଏଲ୍‌ଭିଏମ୍‌-୩ ରକେଟ୍‌
ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ)ର ବାହୁବଳୀ ରକେଟ୍‌ ଏଲ୍‌ଭିଏମ୍‌-୩ ଏକ ଅଦ୍ବିତୀୟ ରକେଟ୍‌ ଭାବେ ଜଣାଶୁଣା। ଏଲ୍‌ଭିଏମ୍‌-୩ ହେଉଛି ଏକ ହେଭି-ଲିଫ୍ଟ ଲଞ୍ଚ ଭେହିକ୍‌ଲ ଯାହା ମହାକାଶକୁ ଅଧିକ ଓଜନର ପେଲୋଡ୍‌ ପଠାଇବାର କ୍ଷମତା ପାଇଁ ପ୍ରସିଦ୍ଧ। ଏଲ୍‌ଭିଏମ୍‌-୩ ହେଉଛି ଏକ ତିନି ପର୍ଯ୍ୟାୟ ରକେଟ୍ ଯାହା ଦୁଇଟି କଠିନ-ଇନ୍ଧନ ବୁଷ୍ଟର ଏବଂ ଏକ ତରଳ-ଇନ୍ଧନ କୋର୍ ଷ୍ଟେଜ୍ ସହିତ ସଜ୍ଜିତ। କଠିନ-ଇନ୍ଧନ ବୁଷ୍ଟରଗୁଡ଼ିକ ପ୍ରାରମ୍ଭିକ ଥ୍ରଷ୍ଟ ପ୍ରଦାନ କରୁଥିବାବେଳେ ତରଳ-ଇନ୍ଧନ କୋର୍ ଷ୍ଟେଜ୍ ରକେଟକୁ କକ୍ଷପଥରେ ପ୍ରବେଶ କରାଇବା ପାଇଁ ସ୍ଥାୟୀ ଶକ୍ତି ପ୍ରଦାନ କରିବ।

ନାସା ମୁଖ୍ୟଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଚନ୍ଦ୍ରଯାନ-୩ ମିସନକୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମୁଖ୍ୟ ବିଲ୍‌ ନେଲସନ ପ୍ରଶଂସା କରିଛନ୍ତି। ଏକ ଟ୍ବିଟରେ ସେ ‌ଏଥିପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଚନ୍ଦ୍ରପୃଷ୍ଠକୁ ଉକ୍ତ ଯାନର ନିରାପଦ ଯାତ୍ରା ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି। ଉକ୍ତ ମିସନରୁ ଯେଉଁ ବୈଜ୍ଞାନିକ ଫଳାଫଳ ଆସିବ ତାହାକୁ ଆମେ ଅପେକ୍ଷା କରିଛୁ। ଏଥିରେ ନାସାର ଲେଜର ରେଟ୍ରୋରିଫ୍ଲେକ୍ଟର ଆରେ ରହିଛି। ଆର୍ଟେମିସ ଆକର୍ଡରେ ଭାରତ ଏହାର ନେତୃତ୍ବର ପ୍ରଦର୍ଶନ କରୁଛି ବୋଲି ସେ ମତ ଦେଇଛନ୍ତି।

ଚନ୍ଦ୍ରର ଅଧିକ ରହସ୍ୟ ଉନ୍ମୋଚନ ହେବ
ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବିଷୟରେ ଅଧିକ ରହସ୍ୟ ଉନ୍ମୋଚନ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ । ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ଏକ ଫଲୋଅପ୍ ଅଭିଯାନ, ଯାହା ଏହାର ଲ୍ୟାଣ୍ଡର୍ ଓ ରୋଭର୍ ବ୍ୟବହାର କରି ସୁରକ୍ଷିତ ଅବତରଣ ଏବଂ ଚନ୍ଦ୍ର ପୃଷ୍ଠରେ ବୁଲିବା ପାଇଁ ସମସ୍ତ କ୍ଷମତା ପ୍ରଦର୍ଶନ କରିବ। ଲ୍ୟାଣ୍ଡର୍ ଓ ରୋଭର୍ ୧୦୦ କିଲୋମିଟର ପରିଧି ଭିତରେ ଚନ୍ଦ୍ର କକ୍ଷପଥରେ ପ୍ରୋପଲସନ୍ ମଡ୍ୟୁଲ୍ ଦ୍ୱାରା ଗତି କରିବ। ଚନ୍ଦ୍ରର କକ୍ଷପଥରୁ ପୃଥିବୀର ସ୍ପେକ୍ଟ୍ରାଲ୍ ଓ ପୋଲାରିମେଟ୍ରିକ୍ ତଥ୍ୟ ପରୀକ୍ଷା କରିବା ପାଇଁ ପ୍ରୋପଲସନ୍ ମଡ୍ୟୁଲ୍ ସ୍ପେକ୍ଟ୍ରୋ-ପୋଲାରାଇମେଟ୍ରି ଅଫ୍ ହାବିଟେବଲ୍ ପ୍ଲାନେଟ୍ ଆର୍ଥ (ସେପ୍) ପେଲୋଡ୍ ସହିତ ସଜ୍ଜିତ। ଲ୍ୟାଣ୍ଡର୍‌ର ପେଲୋଡ୍‌ ଭିତରେ ଅଛି ପ୍ଲାଜ୍ମାର ସାନ୍ଦ୍ରତା ଓ ଏହାର ପ୍ରକାରଭେଦକୁ ଆକଳନ କରିବା ପାଇଁ ଲଙ୍ଗମୁର ପ୍ରୋବ୍ (ଏଲ୍‌ପି), ଥର୍ମୋଫିଜିକାଲ କଣ୍ଡକ୍ଟିଭିଟି ଓ ତାପମାତ୍ରା ମାପିବା ପାଇଁ ଚନ୍ଦ୍ରସ୍‌ ସର୍ଫେସ୍ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ (ଚେଷ୍ଟ) ଓ ଅବତରଣ ସ୍ଥାନ ଚାରିପାଖର କମ୍ପନକୁ ମାପିବା ପାଇଁ ରହିଛି ଇନଷ୍ଟ୍ରୁମେଣ୍ଟ୍ ଫର୍ ଲୁନାର ସିସ୍‌ମିକ୍ ଆକ୍ଟଭିଟି (ଇଲ୍‌ସା)। ଚନ୍ଦ୍ରର ଲେଜର ପରିସର ଅନୁସନ୍ଧାନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଧ୍ୟ ଏକ ପାସିଭ୍ ଲେଜର ରିଟ୍ରୋଫ୍ଲେକ୍ଟର ଆରେ ପ୍ରଦାନ କରିଛି। ଅବତରଣ ସ୍ଥାନ ନିକଟରେ ଥିବା ମୌଳିକ ସଂରଚନା ନିର୍ଣ୍ଣୟ କରିବା ପାଇଁ ରୋଭର୍ ପେଲୋଡ୍‌ରେ ଆଲ୍‌ଫା କଣିକା ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏପିଏକ୍ସଏସ୍) ଏବଂ ଲେଜର୍ ଇଣ୍ଡ୍ୟୁସ୍‌ଡ ବ୍ରେକ୍‌ଡାଉନ୍ ସ୍ପେକ୍ଟ୍ରୋସ୍କୋପି (ଏଲ୍‌ଆଇବିଏସ୍) ରଖାଯାଇଛି।

publive-image

ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର
ଚନ୍ଦ୍ରଯାନ-୩ର ନିରାପଦ ଓ ସ୍ବାଭାବିକ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) ଉପରେ ଏବେ ପୂରା ବିଶ୍ବର ନଜର ରହିଛି। ସଫଳ ଅବତରଣ ପରେ ହିଁ ଲୁନାର ରୋଭର୍ ଟେ‌କ୍ନୋଲୋଜି ସାହାଯ୍ୟରେ ଚନ୍ଦ୍ରପୃଷ୍ଠରେ ଭ୍ରମଣ ଏବଂ ବୈଜ୍ଞାନିକ ଅନୁସନ୍ଧାନ ସମ୍ଭବ ହେବ। ଲ୍ୟାଣ୍ଡର୍ ଓ ରୋଭର୍ ଚନ୍ଦ୍ରପୃଷ୍ଠରେ ଗୋଟିଏ ଅହୋରାତ୍ର କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ପୃଥିବୀରେ ପ୍ରାୟ ୧୪ ଦିନ ସହ ସମାନ। ସୂଚନାଯୋଗ୍ୟ, ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେହିକ୍‌ଲ୍ ମାର୍କ-୩ (ଜିଏସ୍‌ଏଲ୍‌ଭି ଏମ୍‌୩) ଚନ୍ଦ୍ରଯାନ-୩ ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହା ଇଣ୍ଟିଗ୍ରେଟେଡ୍ ମଡ୍ୟୁଲ୍‌କୁ ଏକ ଏଲିପ୍ଟିକ୍ ପାର୍କିଂ ଅର୍ବିଟ (ଇପିଓ)ରେ ସ୍ଥାନ ଦେବ।
ଚନ୍ଦ୍ରଯାନ-୩ ଭାରତକୁ ଏକ ବଡ଼ ମହାକାଶ ଲିଗ୍‌ରେ ସାମିଲ କରିବ
ନୂଆଦିଲ୍ଲୀ : ଏ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିବା ଦେଶଗୁଡ଼ିକ ହେଉଛନ୍ତି ଆମେରିକା, ପୂର୍ବତନ ସୋଭିଏତ ଦେଶ ଓ ଚୀନ୍। ଚନ୍ଦ୍ରଯାନ-୩ ଅଭିଯାନ ଯଦି ସଫଳ ହୁଏ, ତେବେ ଭାରତ ଚତୁର୍ଥ ଦେଶ ଭାବେ ଏହି ଲିଗ୍‌ରେ ସାମିଲ ହେବ। ଏହି ମିସନକୁ ଭାରତର ଭୂ-ରାଜନୈତିକ ଉଚ୍ଚାଭିଳାଷର ଏକ ଅଂଶ ଭାବେ ଦେଖାଯାଉଛି। ଭାରତ ନିଜର ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ବିଶ୍ବର ପ୍ରମୁଖ ଦେଶଗୁଡ଼ିକ ସହିତ ସୁସମ୍ପର୍କ ରଖିବା ସହ ଏହାର ମହାକାଶ ମିସନର ଘରୋଇକରଣ କରୁଥିବା ଦେଖିବାକୁ ମିଳୁଛି। ୧୯୬୯ରେ ପ୍ରତିଷ୍ଠିତ ଇସ୍ରୋ ୭୭ ନିୟୁତ ଡଲାର ମୂଲ୍ୟରେ ଚନ୍ଦ୍ରଯାନ-୩ ନିର୍ମାଣ କରିଛି। ୨୦୧୯ରେ ଚନ୍ଦ୍ରଯାନ-୨ର ବିଫଳତା ପରେ ଚନ୍ଦ୍ରରେ ସଫଳ ଅବତରଣ ପାଇଁ ଏହା ଭାରତର ଦ୍ବିତୀୟ ପ୍ରଚେଷ୍ଟା। ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ରାଷ୍ଟ୍ରୀୟ ଗସ୍ତରେ ଆମେରିକା ଯାଇଥିବା ବେଳେ ଚନ୍ଦ୍ରପୃଷ୍ଠରେ ମାନବୀୟ ଓ ରୋବଟିକ୍ ଅନୁସନ୍ଧାନ ପାଇଁ ନାସା ନେତୃତ୍ବାଧୀନ ଆର୍ଟେମିସ ଆକର୍ଡସରେ ସ୍ବାକ୍ଷର କରିଥିଲେ।

publive-image

ଚନ୍ଦ୍ରଯାନ-୩ ସଫଳ ହେବା ଆଶା ଅଧିକ: ମାଧବନ ନାୟାର
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ମସିନ ସଫଳ ହେବାର ଆଶା ଅଧିକ ରହିଛି। ଏହା କହିଛନ୍ତି ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ମାଧବନ ନାୟାର। ୨୦୧୯ରେ ଚନ୍ଦ୍ରଯାନ-୨ ବିଫଳତାକୁ ବ୍ୟାପକ ଭାବେ ଅନୁଧ୍ୟାନ କରାଯାଇ ଚନ୍ଦ୍ରଯାନ-୩ ମିସନ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଶେଷ ମିନିଟରେ ଚନ୍ଦ୍ରଯାନ-୨ ମିସନ ବିଫଳ ହୋଇଥିଲା। ଚନ୍ଦ୍ରପୃଷ୍ଠ ଠାରୁ ମାତ୍ର ୨.୧ କିମି ଦୂରରୁ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। କିନ୍ତୁ ତାହା ପୂର୍ବରୁ ଅନ୍ୟ ସବୁ କାର୍ଯ୍ୟ ଠିକ୍‌ ଥିଲା। ଏଥିସହିତ ଶତ ପ୍ରତିଶତ ସଫଳତା ପାଇଁ ସବୁକ୍ଷେତ୍ରରେ ସଂଶୋଧନ ଅଣାଯାଇଛି ବୋଲି ନାୟାର କହିଛନ୍ତି। ଥ୍ରଷ୍ଟର କନଫିଗ୍ୟୁରେସନ, ଲ୍ୟାଣ୍ଡିଂ ଗିୟର ଏବଂ କମ୍ପ୍ୟୁଟର ସଫ୍ଟୱେର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ମନୁଷ୍ୟ କ୍ଷେତ୍ରରେ ଯାହା ସମ୍ଭବ ତାହା କରାଯାଇଛି। ଇସ୍ରୋର ଟ୍ରାକ ରେକର୍ଡ ହେଉଛି ଏହା ବିଫଳତାର ଶିକ୍ଷା ଲାଭ କରିଥାଏ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସଫଳତା ପାଇଁ ଲମ୍ଫ ପ୍ରଦାନ କରିଥାଏ।