ବେଙ୍ଗାଲୁରୁ: ଜୁଲାଇ ୧୪ରେ ଉତ୍‌କ୍ଷେପିତ ଚନ୍ଦ୍ରଯାନ-୩ ପୃଥିବୀଠାରୁ ଚନ୍ଦ୍ରପର୍ଯ୍ୟନ୍ତ ଦୂରତାର ଦୁଇ-ତୃତୀୟାଂଶ ଅତିକ୍ରମ କରିସାରିଥିବା ବେଳେ ଶନିବାର ପ୍ରାୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ରକକ୍ଷରେ ପହଞ୍ଚିସାରିଛି। ଏହାର ଲୁନାର ଅର୍ବିଟ ଇଞ୍ଜେକ୍ସନ (ଏଲ୍‌ଓଆଇ) ବା ଚନ୍ଦ୍ରକକ୍ଷରେ ସ୍ଥାପନ ପ୍ରକ୍ରିୟା ସମାପ୍ତ ହୋଇଛି, ଯାହା ଅଭିଯାନ ପାଇଁ ଏକ ବଡ଼ ସଫଳତା।

Advertisment

ଆଜି ଚନ୍ଦ୍ରକକ୍ଷରେ ପ୍ରବେଶ କରିସାରିଥିବା ଚନ୍ଦ୍ରଯାନ-୩କୁ କେତୋଟି ଲୁନାର ଅର୍ବିଟ ମାନିଉଭର (ଚନ୍ଦ୍ରକକ୍ଷ ପରିବର୍ତ୍ତନ) କରିବାକୁ ପଡ଼ିବ। ପରବର୍ତ୍ତୀ ମାନିଉଭର ଆସନ୍ତାକାଲି ରାତି ୧୧ଟା ବେଳେ ହେବ। ଅଗଷ୍ଟ ପ୍ରଥମ ସପ୍ତାହ ସାରା ଚନ୍ଦ୍ରଯାନ-୩ ଚନ୍ଦ୍ର ଚାରିପଟେ ୫-୬ ଥର ପରିକ୍ରମଣ କରିବ। ଧୀରେ ଧୀରେ ଏହା ୧୦୦ କିମି ବୃତ୍ତାକାର କକ୍ଷପଥରେ ଭ୍ରମଣ କରି ଚନ୍ଦ୍ରର ନିକଟତର ହେବ। ପରବର୍ତ୍ତୀ ୧୦ ଦିନ ଭିତରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାର ଉପଯୁକ୍ତ ସ୍ଥାନ ନିରୂପଣ କରାଯିବ। ତା’ପରେ ଅଗଷ୍ଟ ୨୩ ଅପରାହ୍ଣ ୫ଟା ୪୭ରେ ଏଥିରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ନରମ ଅବତରଣ ପାଇଁ ଉଦ୍ୟମ କରିବ। ଚନ୍ଦ୍ରରେ ସୂର୍ଯ୍ୟୋଦୟ ପରି ବିଭିନ୍ନ କାରକ ଉପରେ ଧ୍ୟାନ ଦେଇ ଇସ୍ରୋ ଅବତରଣ କାର୍ଯ୍ୟସୂଚୀ ସ୍ଥିର କରୁଛି। ଯଦି ଆବଶ୍ୟକ ପଡ଼େ ସେପ୍ଟେମ୍ବର ମାସରେ ଅବତରଣ ପାଇଁ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯିବ। ଗୋଟିଏ ପରେ ଗୋଟିଏ ମାଇଲଷ୍ଟୋନ ଅତିକ୍ରମ କରି ଚନ୍ଦ୍ରଯାନ-୩ ଏହାର ଅଭୂତପୂର୍ବ ଅବତରଣ ସଫଳତା ଆଡ଼କୁ ଯାତ୍ରା ଜାରି ରଖିଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହାପୂର୍ବରୁ କହିଥିଲା ଯେ ମହାକାଶଯାନର ସବୁକିଛି ଠିକ୍‌ଠାକ୍ ଅଛି ଏବଂ ଅଗଷ୍ଟ ୨୩ରେ ଏହା ଚନ୍ଦ୍ରପୃଷ୍ଠରେ ନରମ ଅବତରଣ ପାଇଁ ଚେଷ୍ଟା କରିବ। ଚନ୍ଦ୍ରଯାନ-୨ ପରି ସମାନ ଲକ୍ଷ୍ୟ ନେଇ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେଉଛି ଚନ୍ଦ୍ରଯାନ-୩। ଚନ୍ଦ୍ରପୃଷ୍ଠରେ ନରମ ଅବତରଣରେ ଚନ୍ଦ୍ରଯାନ-୨ ବିଫଳ ହୋଇଥିବା ବେଳେ ଚନ୍ଦ୍ରଯାନ-୩ ଏଥିରେ ସଫଳ ହେବା ଆଶା କରାଯାଉଛି। ଏହାପରେ ଏଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ଭ୍ରମଣ କରିବ ଏବଂ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା କରିବ। ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ନେଟ୍‌ୱର୍କ (ଆଇଏସ୍‌ଟିଆର୍‌ଏସି)ର ମିସନ ଅପରେସନ୍ସ କମ୍ପ୍ଲେକ୍ସ (ଏମ୍‌ଓଏକ୍ସ)ରୁ ମହାକାଶଯାନର ମନିଟରିଂ କରାଯାଉଛି। ଚନ୍ଦ୍ରଯାନ-୩ର ସବୁ ବ୍ୟବସ୍ଥା ଠିକ୍ ଅଛି ବୋଲି ଇସ୍ରୋ ପ୍ରକାଶ କରିଛି।