ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଏହି ଐତିହାସିକ ମୁହୂର୍ତ୍ତ ପାଇଁ ସମୟ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ତେବେ ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ସବୁ ପ୍ରସ୍ତୁତି କରାଯାଇଥିବା ବେଳେ ଏବେ ତା’ର ଆଭ୍ୟନ୍ତରୀଣ ଯାଞ୍ଚ କରାଯାଉଛି। ଅଗଷ୍ଟ ୨୩ ଅପରାହ୍ଣ ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୪ରେ ଏହା ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି।
ବିକ୍ରମ ପକ୍ଷରୁ ଚନ୍ଦ୍ରର ଦୂର ପାର୍ଶ୍ବର ଫଟୋ ଉତ୍ତୋଳନ କରି ପୃଥିବୀକୁ ପଠାଇଛି। ଚନ୍ଦ୍ରର ଏହି ଗୋଲାର୍ଦ୍ଧଟି ସବୁବେଳେ ପୃଥିବୀକୁ ପଛ କରି ରହିଥାଏ। ତେଣୁ ତାହା ପୃଥିବୀକୁ ଦେଖାଯାଇ ନ ଥାଏ। ଇସ୍ରୋ କହିଛି ଯେ ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଆଣ୍ଡ ଆଭଏଡାନ୍ସ କ୍ୟାମେରା ଦ୍ବାରା ଚନ୍ଦ୍ରର ପଛ ପାର୍ଶ୍ବର ଫଟୋ ପଠାଯାଇଛି। ଅବତରଣ ପାଇଁ ଚନ୍ଦ୍ରର ଦକ୍ଷିଣମେରୁରେ ବଡ଼ବଡ଼ ବୋଲ୍ଡର ବା ଗଭୀର ଗର୍ତ୍ତ ନ ଥିବା ନିରାପଦ ସ୍ଥାନ ବାଛିବାରେ ଏହି କ୍ୟାମେରା ସାହାଯ୍ୟ କରିବ। ସାଟେଲାଇଟ ଆପ୍ଲିକେସନ ସେଣ୍ଟର ଦ୍ବାରା ଏହି କ୍ୟାମେରା ବିକଶିତ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ସମୟରେ ହିଁ ଅବତରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି। ଯଦି ଅଗଷ୍ଟ ୨୩-୨୪ ଦୁଇଦିନ ଭିତରେ ଅବତରଣ ସମ୍ଭବ ନ ହୁଏ, ତେବେ ଆମକୁ ସେପ୍ଟେମ୍ବର ଯାଏ ଆଉ ମାସେ ଅପେକ୍ଷା କରିବାକୁ ପଡ଼ିବ। ବିକ୍ରମ ଓ ପ୍ରଜ୍ଞା (ରୋଭର)କୁ ଚନ୍ଦ୍ରର ଗୋଟିଏ ଦିନ ବା ପୃଥିବୀର ୧୪ ଦିନ ଯାଏ କାର୍ଯ୍ୟ କରିବା ଲାଗି ଡିଜାଇନ କରାଯାଇଛି। ସୂର୍ଯ୍ୟରଶ୍ମିରୁ ଏହା ଶକ୍ତି ଆହରଣ କରି କାର୍ଯ୍ୟ କରିବ।
ସୋମନାଥ କହିଛନ୍ତି ଯେ, ଚନ୍ଦ୍ରରେ ସୂର୍ଯ୍ୟ ଅସ୍ତ ହୋଇଗଲା ପରେ ବିକ୍ରମ ଓ ପ୍ରଜ୍ଞା କାର୍ଯ୍ୟ କରିବା ପାଇଁ ଆଉ ଶକ୍ତି ପାଇବେ ନାହିଁ ଏବଂ ସବୁ ଯନ୍ତ୍ରପାତି ଶକ୍ତି ଅଭାବରୁ ଅଚଳ ହୋଇପଡ଼ିବ। ତେବେ ପରବର୍ତ୍ତୀ ସୂର୍ଯ୍ୟୋଦୟ ପରେ ବ୍ୟାଟେରି ପୁଣି ରିଚାର୍ଜ ହୋଇପାରେ। ଯଦି ସେପରି ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞା ଆଉ ୧୪ ଦିନ ବା ଅଧିକ ଦିନ କାର୍ଯ୍ୟ କରିପାରିବେ। ଅବତରଣ ପରେ ବିକ୍ରମରୁ ପ୍ରଜ୍ଞା (ରୋଭର) ଅଲଗା ହୋଇଯିବ ଏବଂ ଏହା ଚକା ଉପରେ ଗଡ଼ିଗଡ଼ି ଚନ୍ଦ୍ରପୃଷ୍ଠର ଗବେଷଣା କରିବ। ପ୍ରଜ୍ଞାରେ ମଧ୍ୟ କ୍ୟାମେରା ଲାଗିଛି, ଯାହା ଚନ୍ଦ୍ରପୃଷ୍ଠର ଫଟୋ ଉଠାଇ ପ୍ରେରଣ କରିପାରିବ। ଚନ୍ଦ୍ରପୃଷ୍ଠରେ ଧୀର ବା ସୂକ୍ଷ୍ମ ଅବତରଣରେ ସଫଳ ହେଲେ ଭାରତ ଏ କ୍ଷେତ୍ରରେ ଆମେରିକା, ରୁଷ୍ ଓ ଚୀନ୍ ପରେ ଚତୁର୍ଥ ସଫଳ ଦେଶ ଭାବେ ଗଣା ହେବ। ଏଥିସହ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବାରେ ଏହା ବିଶ୍ବର ପ୍ରଥମ ଦେଶ ହେବ।
ବେଙ୍ଗାଲୁରୁ ସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ମହାକାଶ ବିଜ୍ଞାନୀ ପ୍ରଫେସର ରାଧାକାନ୍ତ ପାଢ଼ୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ ଅଭିଯାନ ସଫଳ ରହିବ। ଲ୍ୟାଣ୍ଡର ‘ବିକ୍ରମ’ ନିରାପଦ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ଚନ୍ଦ୍ରଯାନ-୨ ବିଫଳତା ପରେ ଆବଶ୍ୟକ ତ୍ରୁଟି ସଂଶୋଧନ ପଦକ୍ଷେପ ନିଆଯାଇଛି। ଅବତରଣ ବେଳେ ଚନ୍ଦ୍ରଯାନ-୨ର ବେଗକୁ ନିୟନ୍ତ୍ରଣ କରାଯାଇପାରିନଥିଲା। କିନ୍ତୁ ଏଥର ଲ୍ୟାଣ୍ଡରରେ ଏଭଳି ବ୍ୟବସ୍ଥା କରାଯାଇଛି, ଯାହାକି ବେଗକୁ ନିୟନ୍ତ୍ରଣ କରିବା ସହିତ ନିରାପଦ ଅବତରଣରେ ସହାୟକ େହବ। ଅନ୍ୟସବୁ ବ୍ୟବସ୍ଥା ଫେଲ୍ ମାରିଲେ ମଧ୍ୟ ଲ୍ୟାଣ୍ଡର ନିରାପଦ ଭାବେ ଅବତରଣ କରିବ। ଇତିମଧ୍ୟରେ ଇସ୍ରୋ କହିଛି ଯେ ପୂର୍ବ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୨ର ଅର୍ବିଟର ସହ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ ଦୁଇଆଡ଼ୁ ଯୋଗଯୋଗ ପ୍ରତିଷ୍ଠା କରିଛି। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ନଷ୍ଟ ହୋଇଯାଇଥିବା ବେଳେ ଏହାର ଅର୍ବିଟର ‘ପ୍ରଧାନ’ ଏବେ ଚନ୍ଦ୍ର ଚାରିପଟେ ୧୦୦ କିମି x ୧୦୦ କିମି କକ୍ଷପଥରେ ପରିକ୍ରମା କରୁଛି। ‘ଏକ୍ସ’ (ଟ୍ବିଟର)ରେ ଇସ୍ରୋ କହିଛି ଯେ, ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲକୁ ଏକ ସ୍ବାଗତ ବାର୍ତ୍ତା ପଠାଇଛି। ଏହି ଲ୍ୟାଣ୍ଡର ମଡ୍ୟୁଲରେ ଅଛି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର। ‘ୱେଲକମ୍ ବଡି!’ (ସ୍ବାଗତଂ ବନ୍ଧୁ) କହି ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲକୁ ବାର୍ତ୍ତା ପଠାଇଛି ବୋଲି ଇସ୍ରୋ ଟ୍ବିଟ୍ କରିଛି।