ଜୁଲାଇ ୧୩ରେ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ, ଇସ୍ରୋ କଲା ଘୋଷଣା

ମୁମ୍ବାଇ: ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ଆସନ୍ତା ଜୁଲାଇ ୧୩ରେ ହେବ । ଏ ସଂପର୍କରେ ଭାରତୀୟ ମହାକାଶ ବିକାଶ ସଂସ୍ଥା ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ଜୁଲାଇ ୧୩ରେ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ । ପରିସ୍ଥିତି ଅନୁସାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତକ୍ଷେପଣ ପାଇଁ ଉଦ୍ୟମ ଜାରି ରହିବ । ଏଥର ଚନ୍ଦ୍ରଯାନ ଚନ୍ଦ୍ରରେ ସଫ୍ଟ ଲାଣ୍ଡିଂ କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି।

ଜିଏସଏଲଭି ମାର୍କ-୩ ଉତକ୍ଷେପଣ ଯାନ ସାହାଯ୍ୟରେ ‘ଚନ୍ଦ୍ରଯାନ-୩’କୁ ମହାକାଶକୁ ପଠାଯିବ । ଏହାକୁ ସଫଳ କରିବା ପାଇଁ ଇସ୍ରୋ ପକ୍ଷରୁ ଅନେକ ପ୍ରସ୍ତୁତି କରାଯାଇଛି। ଲ୍ୟାଣ୍ଡର ଓ ଅନ୍ୟାନ୍ୟ ଉପକରଣର ଗଭୀର ପରୀକ୍ଷଣ କରାଯାଇଛି। ସମଗ୍ର ପ୍ରକ୍ରିୟାକୁ ଫେପପ୍ରୁଫ (ଯେମିତି ବିଫଳ ହେବ ନାହିଁ) କରାଯାଇଛି, ଯାହାଦ୍ୱାରା ମିଶନକୁ ସର୍ବନିମ୍ନ କ୍ଷତି ସହ ସଫଳ କରାଯାଇପାରିବ।

୨୦୧୯ ସେପ୍ଟେମ୍ବରରେ ‘ଚନ୍ଦ୍ରଯାନ-୨’ ଅଭିଯାନ ସମୟରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରତ ପାଇଁ ଏହା ଏକ ବଡ଼ ଝଟକା ଥିଲା। ଚନ୍ଦ୍ରରେ ଅବତରଣ ପାଇଁ ଆମର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା। ଏହାପରେ ‘ଚନ୍ଦ୍ରଯାନ-୩’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ଏଥର ଚନ୍ଦ୍ରଯାନ ସଫଳତାର ସହ ଓହ୍ଲାଇବାକୁ ସକ୍ଷମ ହେବ ବୋଲି ଇସ୍ରୋ ମୁଖ୍ୟ ଆଶା କରିଛନ୍ତି ।

ସମ୍ବନ୍ଧିତ ଖବର