ବେଙ୍ଗାଲୁରୁ: ୪୭ ବର୍ଷ ପରେ, ରୁଷ୍ ଅଗଷ୍ଟ ୧୧ ଶୁକ୍ରବାର ଏହାର ପ୍ରଥମ ଚନ୍ଦ୍ର ଅବତରଣ ମିସନ ଆରମ୍ଭ କରିବାକୁ ଯାଉଛି। ଏପରି ସମୟରେ ରୁଷ୍ ଏହି ମିସନ ଆରମ୍ଭ କରୁଛି ଯେତେବେଳେ ଚନ୍ଦ୍ରଯାନ-୩ର ଅବତରଣ ତାରିଖ ମଧ୍ୟ ପାଖେଇ ଆସୁଛି। ଚନ୍ଦ୍ରପୃଷ୍ଠରେ ସେମାନଙ୍କର ଅବତରଣ ପାଖାପାଖି ଏକା ସମୟରେ ଘଟିପାରେ ବା ରୁଷ୍ ଯାନ ସାମାନ୍ୟ ଆଗରୁ ପହଞ୍ଚିପାରେ।
ଭାରତର ତୃତୀୟ ଚନ୍ଦ୍ର ମିସନ, ଚନ୍ଦ୍ରଯାନ-୩ ଅଗଷ୍ଟ ୯ରେ ବୁଧବାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ପରବର୍ତ୍ତୀ କକ୍ଷପଥ-ହ୍ରାସ କାର୍ଯ୍ୟ ୧୪ ଅଗଷ୍ଟ ପାଇଁ ଧାର୍ଯ୍ୟ କରାଯାଇଛି। ରୁଷ୍ର ସ୍ପେସ୍ ଏଜେନ୍ସି ରସ୍କସ୍ମସ୍ ଶୁକ୍ରବାର ସକାଳେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ଲକ୍ଷ୍ୟରେ ଲୁନା-୨୫ ଲଞ୍ଚ୍ କରିବ। ଭାରତ ଏହାର ଚନ୍ଦ୍ରଯାନ-୩ ଚନ୍ଦ୍ର ଲ୍ୟାଣ୍ଡରକୁ ପଠାଇବାର ଚାରି ସପ୍ତାହ ପରେ ମସ୍କୋର ପୂର୍ବକୁ ୩,୪୫୦ ମାଇଲ (୫,୫୫୦ କିଲୋମିଟର) ଦୂରରେ ଥିବା ରୁଷ୍ର ସ୍ପେସପୋର୍ଟ ଭୋଷ୍ଟୋଚନି କସ୍ମୋଡ୍ରୋମ୍ରୁ ଲୁନା୨୫କୁ ଉତ୍କ୍ଷେପଣ କରିବାକୁ ଯାଉଛି, ଯାହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଆଶା କରାଯାଉଛି। ରୁଷ୍ର ସ୍ପେସ୍ ଏଜେନ୍ସି ରସ୍କସ୍ମସ୍ କହିଛି ଯେ ଏହାର ଲୁନା-୨୫ ମହାକାଶଯାନ ଚନ୍ଦ୍ରରେ ପହଞ୍ଚିବାକୁ ପାଞ୍ଚଦିନ ଲାଗିବ ଏବଂ ଦକ୍ଷିଣ ମେରୁ ନିକଟରେ ଥିବା ତିନୋଟି ସମ୍ଭାବ୍ୟ ଅବତରଣ ସ୍ଥାନ ମଧ୍ୟରୁ ଗୋଟିଏରେ ଓହ୍ଲାଇବା ପୂର୍ବରୁ ପାଞ୍ଚରୁ ସାତ ଦିନ ଚନ୍ଦ୍ର କକ୍ଷପଥରେ ବିତାଇବ।
ଏହା ପୂର୍ବରୁ ଅଗଷ୍ଟ ୮ରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ ଯେ, ଭାରତର ତୃତୀୟ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଏକ ନରମ ଅବତରଣ କରିପାରିବ, ଯଦିବି ସମସ୍ତ ସେନ୍ସର ଏବଂ ଏହାର ଦୁଇଟି ଇଞ୍ଜିନ କାମ ନ କରେ।
ରସ୍କସ୍ମସ୍ କହିଛି ଯେ, ଦୁଇଟି ମିସନ ପରସ୍ପରର ପଥରେ ଆସିବ ନାହିଁ କାରଣ ସେମାନଙ୍କର ଅବତରଣ କ୍ଷେତ୍ର ଅଲଗା ରହିବ। ସେମାନେ ପରସ୍ପର ପଥରେ ଆସିବା କିମ୍ବା ଧକ୍କା ହେବାର କୌଣସି ଆଶଙ୍କା ନାହିଁ। ଚନ୍ଦ୍ରରେ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି ବୋଲି ଏହା କହିଛି। ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଦୁଇ ସପ୍ତାହ ପରୀକ୍ଷଣ କାର୍ଯ୍ୟ କରିବାର ଯୋଜନା କରିଥିବା ବେଳେ ଲୁନା-୨୫ ଚନ୍ଦ୍ରରେ ଏକ ବର୍ଷ କାମ କରିବ। ୧.୮ ଟନ୍ ବିଶିଷ୍ଟ ଏବଂ ୩୧ କିଲୋଗ୍ରାମ (୬୮ ପାଉଣ୍ଡ) ଓଜନର ବୈଜ୍ଞାନିକ ଯନ୍ତ୍ର ସହିତ ଲୁନା-୨୫ ଏକ ସ୍କୁପ୍ ବ୍ୟବହାର କରି ୧୫ ସେମି (୬ଇଞ୍ଚ) ଗଭୀରରୁ ଶିଳା ନମୁନା ନେଇ ସେଥିରେ ବରଫାୟିତ ଜଳର ଉପସ୍ଥିତି ପରୀକ୍ଷା କରିବ, ଯାହା ମାନବର ଜୀବନ ଧାରଣ ପାଇଁ ଗୁରୁତ୍ବପୂର୍ଣ୍ଣ।
ଅକ୍ଟୋବର ୨୦୨୧ ପାଇଁ ଧାର୍ଯ୍ୟ କରାଯାଇଥିବା ଲୁନା-୨୫ର ଉତ୍କ୍ଷେପଣକୁ ଦୁଇବର୍ଷରୁ ଅଧିକ କାଳ ସ୍ଥଗିତ ରଖାଯାଇଥିଲା। ୟୁରୋପୀୟ ସ୍ପେସ୍ ଏଜେନ୍ସି (ଇଏସ୍ଏ) ଏହାର ପାଇଲଟ୍-ଡି ଗାଇଡ୍ କ୍ୟାମେରାକୁ ଲୁନା-୨୫ରେ ସ୍ଥାପନ କରି ପରୀକ୍ଷା କରିବାକୁ ଚାହୁଥିଲା। ତେବେ ଗତବର୍ଷ ଫେବ୍ରୁଆରିରେ ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଇଏସ୍ଏ ଏହି ପ୍ରକଳ୍ପ କାର୍ଯ୍ୟରୁ ସମ୍ପର୍କ ଛିନ୍ନ କରିଦେଇଥିଲା।