ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବୁଧବାର ଚନ୍ଦ୍ରଯାନ-୩ ଲ୍ୟାଣ୍ଡରକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ନିରାପଦ ଅବତରଣ (ସଫଟ୍ ଲାଣ୍ଡିଂ) କରି ଇତିହାସ ରଚିଛି।
ଏବେ ବିକ୍ରମ ଚନ୍ଦ୍ରରୁ ଇସ୍ରୋର କମାଣ୍ଡ୍ ସେଣ୍ଟରକୁ ଏକ ବାର୍ତ୍ତା ପଠାଇଛି। ଇସ୍ରୋକୁ ପଠାଯାଇଥିବା ବାର୍ତ୍ତାରେ ଚନ୍ଦ୍ରଯାନ କହିଛି, 'ଭାରତ, ମୁଁ ମୋ ର ଗନ୍ତବ୍ୟସ୍ଥଳରେ ପହଞ୍ଚିଛି ଏବଂ ଆପଣ ମାନେ ମଧ୍ୟ ! ଏ ନେଇ ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଭାରତର ଏହି ସଫଳତା ପରେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା, ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା, ବ୍ରିଟିଶ ମହାକାଶ ସଂସ୍ଥା ।
ନାସା ମୁଖ୍ୟ ବିଲ୍ ନେଲସନ ଟ୍ୱିଟ୍ କରି କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଇସ୍ରୋ ଏବଂ ଭାରତକୁ ଅଭିନନ୍ଦନ। ଚନ୍ଦ୍ରରେ ମହାକାଶଯାନକୁ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି। ଏହି ମିଶନରେ ଆପଣଙ୍କ ପାର୍ଟନର ହୋଇ ଆମେ ଖୁସି।
ୟୁରୋପୀୟ ମହାକାଶ ଏଜେନ୍ସିର ମହାନିର୍ଦ୍ଦେଶକ ଜୋସେଫ୍ ଆଶବାଚର ମଧ୍ୟ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଚନ୍ଦ୍ରଯାନ-୩ର ଅବିଶ୍ୱସନୀୟ ସଫଳତା ପାଇଁ ଇସ୍ରୋ ଏବଂ ଭାରତର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ।