ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ପ୍ରଥମ ଅର୍ବିଟ ମାନ୍ୟୁଭରିଂ ସଫଳତାପୂର୍ବକ ସମ୍ପନ୍ନ ହୋଇଛି, ଅର୍ଥାତ୍ ଏହାର କକ୍ଷପଥକୁ ବଦଳାଇ ଦିଆଯାଇଛି। ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। ଉତ୍କ୍ଷେପଣ ପରେ ଚନ୍ଦ୍ରଯାନ-୩କୁ ୧୭୯ କିମି ପେରିଜି (ପୃଥିବୀଠାରୁ ନିକଟତମ ଦୂରତା) ଓ ୩୬,୫୦୦ କିମି ଏପୋଜି (ପୃଥିବୀଠାରୁ ଦୂରତମ ଦୂରତା) ବିଶିଷ୍ଟ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯାଇଥିଲା।
ପ୍ରଥମ ଅର୍ବିଟ ମାନ୍ୟୁଭରରେ ଏପୋଜିକୁ ବଢ଼ାଇ ୪୨,୦୦୦ କିମି କରାଯାଇଛି। ପୃଥିବୀର ଚାରିପଟେ ୫ ଥର ଅର୍ବିଟ ମାନ୍ୟୁଭର ହେବ, ଅର୍ଥାତ୍ କକ୍ଷପଥ ବଦଳିବ। ଏଥିରେ ପ୍ରଥମ, ତୃତୀୟ, ଚତୁର୍ଥ ଓ ପଞ୍ଚମ- ଏହି ଚାରିଥର ଏପୋଜି ଅର୍ଥାତ୍ ପଥିବୀଠାରୁ ଚନ୍ଦ୍ରଯାନ ଯେତେବେଳେ ଦୂରରେ ରହିବ, ତାହା ବୃଦ୍ଧି କରାଯିବ। ଦ୍ବିତୀୟ ଥର ଏପୋଜି ବଦଳିବନି, ପେରିଜି ଅର୍ଥାତ୍ ଅଣ୍ଡାକାର କକ୍ଷପଥରେ ପୃଥିବୀଠାରୁ ନିକଟତମ ଦୂରତାକୁ ବୃଦ୍ଧି କରାଯିବ। ଜୁଲାଇ ୩୧ ସୁଦ୍ଧା ଚନ୍ଦ୍ରଯାନ-୩ ପୃଥିବୀଠାରୁ ୧୦ ଗୁଣ ଦୂର ଯାଇଥିବ। ଇସ୍ରୋ ବୈଜ୍ଞାନିକମାନେ ଏପୋଜିରେ ପରିବର୍ତ୍ତନ କରି ପୃଥିବୀଠାରୁ ଏହାର ଦୂରତମ ଦୂରତା ବୃଦ୍ଧି କରିବେ। ସେପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯେପର୍ଯ୍ୟନ୍ତ ଏହା ପ୍ରାୟ ୧ ଲକ୍ଷ କିମି ଦୂରରେ ନ ପହଞ୍ଚିଛି।
ସେଠାରେ ପହଞ୍ଚିବା ପରେ ବୈଜ୍ଞାନିକମାନେ ଏହାକୁ ସ୍ଲିଙ୍ଗସଟ କରିବେ। ଅର୍ଥାତ୍ ସ୍ଲିଙ୍ଗସଟ (ବାଟୁଳିଖଡ଼ା) ପରି କରି ଚନ୍ଦ୍ରଯାନ-୩କୁ ଚନ୍ଦ୍ରମାର ଲମ୍ବା ଦୂରବାଲା ସୋଲାର ଅର୍ବିଟକୁ ପଠାଇବେ। ପାଞ୍ଚଦିନ ଏହି ଲମ୍ବା ଅର୍ବିଟରେ ଯାତ୍ରା କରିବା ପରେ ଅର୍ଥାତ୍ ଅଗଷ୍ଟ ୫-୬ ବେଳକୁ ଚନ୍ଦ୍ରଯାନ-୩ ଲୁନାର ଅର୍ବିଟ ଇନସର୍ସନ ଷ୍ଟେଜ୍ରେ ପହଞ୍ଚିବ। ତା’ପରେ ଚନ୍ଦ୍ରଯାନ-୩ର ପ୍ରପଲ୍ସନ ସିଷ୍ଟମ୍କୁ ଅନ୍ କରାଯିବ। ତାକୁ ଆଗକୁ ଯିବା ପାଇଁ ଧକ୍କା ମରାଯିବ। ଅର୍ଥାତ୍ ଚନ୍ଦ୍ରର ୧୦୦ କିମିରୁ ଉପର କକ୍ଷପଥକୁ ପଠାଯିବ। ଅଗଷ୍ଟ ୧୭ରେ ପ୍ରପଲ୍ସନ ସିଷ୍ଟମ୍ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର-ରୋଭରରୁ ଅଲଗା ହୋଇଯିବ। ପ୍ରପଲ୍ସନ ମଡ୍ୟୁଲ ଅଲଗା ହେବା ପରେ ଚନ୍ଦ୍ରର ୧୦୦x୩୦ କିମି କକ୍ଷକୁ ଅଣାଯିବ। ଏଥିପାଇଁ ଡିବୁଷ୍ଟିଂ କରିବାକୁ ହେବ। ଅର୍ଥାତ୍ ଏହାର ଗତି କମ୍ କରିବାକୁ ହେବ। ଏ କାମ ୨୩ ଅଗଷ୍ଟକୁ ହେବ। ଏହାପରେ ଆରମ୍ଭ ହେବ ଲ୍ୟାଣ୍ଡିଂ ପ୍ରକ୍ରିୟା ଯାହା ସବୁଠାରୁ କଷ୍ଟକର କାମ।