ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଏହି ଐତିହାସିକ ମୁହୂର୍ତ୍ତ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ବୁଧବାର ଦିନ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଶେଷ ୨୦ ମିନିଟ୍ ହେବ ନିର୍ଣ୍ଣାୟକ। ଏହାକୁ  ଭାରତ ପାଇଁ  ଆତଙ୍କର ୨୦ ମିନିଟ୍‌ ବା ଟ୍ବେଣ୍ଟି ମିନିଟସ୍ ଅଫ୍ ଟେରର୍  ବୋଲି କହାଯାଉଛି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବା ସହ ଚନ୍ଦ୍ରଯାନ-୩ର ଅବତରଣର ଶେଷ ୨୦ ମିନିଟ୍ ହେବ ନିର୍ଣ୍ଣାୟକ।

Advertisment

ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଜ୍ଞାନ ରୋଭର ସହିତ ବିକ୍ରମ ଲାଣ୍ଡ୍‌ରର ଅବତରଣ କରାଇବାର ଚେଷ୍ଟା କରି ଇତିହାସ ରଚନା କରିବାର ପୂରା ପ୍ରସ୍ତୁତି କରିସାରିଛି। ଏହି ଅବତରଣର ଅନ୍ତିମ ୨୦ ମିନିଟ୍‌ର ରୋମାଞ୍ଚକର କ୍ଷଣକୁ ଆତଙ୍କର ୨୦ ମିନିଟ୍‌ ଭାବେ ବର୍ଣ୍ଣନା କରାଯାଉଛି, ଯାହାକୁ କି ଆପଣ କୌଣସି ଟି-୨୦ ମ୍ୟାଚ୍‌ର ଶେଷ ସହ ତୁଳନା କରିପାରନ୍ତି।

ଅଗଷ୍ଟ ୧ରେ ଚନ୍ଦ୍ରଯାନ-୩ ଏହାର ୩.୮୪ ଲକ୍ଷ କିଲୋମିଟର ଯାତ୍ରା ସମୟରେ ଚନ୍ଦ୍ର ଆଡକୁ ମୁହାଁଇଥିଲା।  ଅଗଷ୍ଟ ୫ ତାରିଖରେ ଚନ୍ଦ୍ରଯାନ-୩  ଧୀରେ ଧୀରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ସ୍ଥିର ହୋଇଥିଲା। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରାୟନ -୩ ଅନେକ ଦିନ ପର୍ଯ୍ୟନ୍ତ ସ୍ଥିର ରହିଥିଲା।

ଅବତରଣ ଦିନ  ଶେଷ କୋଡ଼ିଏ ମିନିଟ ଅତ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ସୂଚନା ରହିଛି। ଇସ୍ରୋ ନିୟନ୍ତ୍ରଣ କକ୍ଷର ନିର୍ଦ୍ଦେଶ ଅନୁସାରେ ବିକ୍ରମ ଲ୍ୟାଣ୍ଡର୍ ୨୫ କିଲୋମିଟର ଉଚ୍ଚତାରୁ ଚନ୍ଦ୍ରପୃଷ୍ଠ ଆଡକୁ ଅବତରଣ ଆରମ୍ଭ କରିବ।

ବିକ୍ରମ ଲ୍ୟାଣ୍ଡର୍ ପ୍ରତି ସେକେଣ୍ଡରେ ୧.୬୮ କିଲୋମିଟର ବେଗରେ ଚନ୍ଦ୍ର ପୃଷ୍ଠ ଆଡକୁ ଆଗେଇବ, ଯାହା ଘଣ୍ଟା ପ୍ରତି ପ୍ରାୟ ୬୦୪୮ କିଲୋମିଟର।  ବିମାନର ବେଗର ପ୍ରାୟ ଦଶ ଗୁଣ ହେବ ଏହାର ବେଗ। ବିକ୍ରମ ଲ୍ୟାଣ୍ଡର୍ ତା’ପରେ ଏହାର ସମସ୍ତ ଇଞ୍ଜିନ୍ ଫାୟାରିଙ୍ଗ୍ ସହିତ ମନ୍ଥର ହୋଇଯିବ।

ତେବେ ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ସବୁ ପ୍ରସ୍ତୁତି କରାଯାଇଥିବା ବେଳେ ଏବେ ତା’ର ଆଭ୍ୟନ୍ତରୀଣ ଯାଞ୍ଚ କରାଯାଉଛି। ଅଗଷ୍ଟ ୨୩ ଅପରାହ୍ଣ ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୪ରେ ଏହା ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି।