ନୂଆଦିଲ୍ଲୀ: ନୂଆଦିଲ୍ଲୀର ନେସ୍ନାଲ୍ ମିଡିଆ ସେଣ୍ଟର୍ ଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଚନ୍ଦ୍ରାୟନ-୩ ଏକ ମାଇଲଖୁଣ୍ଟ ଥିଲା, ଏହାପରେ ଚନ୍ଦ୍ରାୟନ ୪ ଓ ୫ ଅଭିଯାନ ଆରମ୍ଭ କରାଯିବ ।
୨୦୨୩ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରରେ ଅବତରଣ କରିବାରେ ଭାରତ ଚତୁର୍ଥ ଏବଂ ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାରେ ପ୍ରଥମ ଦେଶ ପାଲଟିଥିଲା। ଏହି ଐତିହାସିକ ସଫଳତାକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ଘୋଷଣା କରିଥିଲେ।
୨୩ ଅଗଷ୍ଟ ୨୦୨୪ରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଭାରତ ମଣ୍ଡପମ୍ରେ ‘ଚନ୍ଦ୍ରକୁ ସ୍ପର୍ଶ କରିବା ସହିତ ଜୀବନ ଛୁଇଁବା: ଭାରତର ମହାକାଶ ଗାଥା’ଶୀର୍ଷକ ବିଷୟବସ୍ତୁ ଉପରେ ଭାରତ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରିବାକୁ ଯାଉଛି।
କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ଭୂ-ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପରମାଣୁ ଶକ୍ତି ବିଭାଗ, ମହାକାଶ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଗଗନଯାନ ମିଶନ ୨୦୨୫ରେ ପ୍ରଥମ ଭାରତୀୟଙ୍କୁ ମହାକାଶକୁ ପଠାଇବ। ମହାକାଶ କ୍ଷେତ୍ରରେ ବିଶ୍ୱସ୍ତରରେ ନେତୃତ୍ୱ ହାସଲ କରିବା ପାଇଁ ଭାରତର ପ୍ରୟାସ ଉପରେ ଆଲୋକପାତ କରିଥିଲେ ।
ସେ ନୌସେନା ମୁଖ୍ୟ ଆଡମିରାଲ ଡି.କେ ତ୍ରିପାଠୀଙ୍କ ସହ ତାଙ୍କର ନିକଟରେ ହୋଇଥିବା ସାକ୍ଷାତକୁ ମନେ ପକାଇଥିଲେ ଏବଂ ମୁଖ୍ୟତଃ କ୍ରୁ ମଡ୍ୟୁଲ୍ ପୁନରୁଦ୍ଧାର ପାଇଁ ଭାରତୀୟ ନୌସେନା ସହିତ ଇସ୍ରୋର ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଘରୋଇ ଅଂଶୀଦାରଙ୍କ ସହ ସହଯୋଗର କିଛି ମାସ ମଧ୍ୟରେ ମହାକାଶ କ୍ଷେତ୍ରରେ ୧୦୦୦ କୋଟିରୁ ଅଧିକ ପୁଞ୍ଜି ନିବେଶ ହୋଇଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଡକ୍ଟର ଜିତେନ୍ଦ୍ର ସିଂ ଷ୍ଟାର୍ଟଅପର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଦୋହରାଇଥିଲେ ଯେ ମହାକାଶ କ୍ଷେତ୍ରରେ ପ୍ରଥମେ ବହୁତ କମ୍ ଷ୍ଟାର୍ଟଅପ ଥିଲା କିନ୍ତୁ ବର୍ତ୍ତମାନ ଦେଶରେ ପ୍ରାୟ ୩୦୦ ଷ୍ଟାର୍ଟଅପ ଅଛି। ଯେଉଁଥିରେ ଅନେକ ବିଶ୍ୱସ୍ତରୀୟ ସମ୍ଭାବନା ରହିଛି । କେନ୍ଦ୍ରମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣକୁ ମନେ ପକାଇ କହିଥିଲେ ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ମହାକାଶ ଅର୍ଥବ୍ୟବସ୍ଥା ୫ ଗୁଣା ବୃଦ୍ଧି ପାଇବ।
ମହାକାଶ କ୍ଷେତ୍ରରେ ଭାରତର ଉନ୍ନତି ଦେଖିବା ପାଇଁ ବିଶ୍ୱ ପାଇଁ ଶ୍ରୀହରିକୋଟାର ଦ୍ୱାର ଖୋଲିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି ଡକ୍ଟର ଜିତେନ୍ଦ୍ର ସିଂହ । ଏଥିରେ ଏକ ଘରୋଇ ମହାକାଶ ଯାନ ଉତ୍କ୍ଷେପଣ କେନ୍ଦ୍ର ମଧ୍ୟ ରହିଛି ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଭବିଷ୍ୟତର ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୨୦୩୫ ସୁଦ୍ଧା ‘ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ’ ପ୍ରତିଷ୍ଠା ଏବଂ ୨୦୪୫ ସୁଦ୍ଧା ଚନ୍ଦ୍ରରେ ଭାରତୀୟଙ୍କୁ ଅବତରଣ କରିବା ହେଉଛି ଅନ୍ୟତମ ମାଇଲ୍ଖୁଣ୍ଟ ପ୍ରକଳ୍ପ। ରାକେଶ ଶର୍ମା ଗଗନୟାନ ମିଶନ ଟିମକୁ ମାର୍ଗଦର୍ଶନ କରୁଛନ୍ତି ଏବଂ ସୁନୀତା ୱିଲିୟମ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଇସ୍ରୋର ବୈଜ୍ଞାନିକ ସଚିବ ଶାନ୍ତନୁ ଭାଟୱାଡେକର ମଧ୍ୟ ଏହି ଆଲୋଚନାରେ ମନ୍ତ୍ରୀଙ୍କ ସହ ଥିଲେ। ସେ କହିଛନ୍ତି, ଇସ୍ରୋ ଆମ ଦେଶର ୭ଟି ଜୋନରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା।
ପ୍ରତ୍ୟେକ ଜୋନ୍ରେ ଭାରତର ମହାକାଶ ଯାତ୍ରାକୁ ପ୍ରଦର୍ଶିତ କରିବା ପାଇଁ ପ୍ରଦର୍ଶନୀ, ମହାକାଶ ବିଜ୍ଞାନ ମେଳା ଏବଂ ବୈଜ୍ଞାନିକମାନଙ୍କ ସହ ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା। ସାଟେଲାଇଟ୍ ଟେକ୍ନୋଲୋଜିର ପ୍ରଦର୍ଶନ, ମଡେଲ୍ ରକେଟର କର୍ମଶାଳା, ମହାକାଶ ଅଭିଯାନର ଭର୍ଚୁଆଲ୍ ରିୟଲିଟି ଅନୁଭୂତି ଏବଂ ଇସ୍ରୋ ରୋବୋଟିକ୍ସ ଚ୍ୟାଲେଞ୍ଜ ତଥା ଭାରତୀୟ ଅନ୍ତରୀକ୍ଷ ହାକାଥନ୍ ସମେତ ଜାତୀୟସ୍ତରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବ କେବଳ ବୈଜ୍ଞାନିକ ସମାଜ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ଲାଗି ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ମହାକାଶ ବିଷୟବସ୍ତୁ ରେ ପ୍ରତିଯୋଗିତା, ବିତର୍କ ଏବଂ କୁଇଜ୍ ରେ ଅଂଶଗ୍ରହଣ କରିଥିଲେ।
ମହାକାଶ ବିଜ୍ଞାନକୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଗବେଷଣା ସଂଗଠନ, ମନ୍ତ୍ରଣାଳୟ ଏବଂ ବେସରକାରୀ ସଂସ୍ଥା ଇସ୍ରୋ ସହ ମିଶି କର୍ମଶାଳା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଭାରତୀୟ ନାଗରିକମାନେ ମହାକାଶ ପ୍ରଦର୍ଶନୀ ପରିଦର୍ଶନ କରିବା, ବୈଜ୍ଞାନିକମାନଙ୍କ ସହ ବାର୍ତ୍ତାଳାପ କରିବା ଏବଂ ଇସ୍ରୋ କେନ୍ଦ୍ରରେ ଲାଇଭ୍ ଉତ୍କ୍ଷେପଣ ଦେଖିବାର ସୁଯୋଗ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/10-15.jpg)