ନୂଆଦିଲ୍ଲୀ: ଭାରତର ମହତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ ସେପ୍ଟେମ୍ବର ପ୍ରାରମ୍ଭରୁ ଚନ୍ଦ୍ରରେ ନିଦ୍ରାହୀନ ଅବସ୍ଥାରେ ରହଥିଲା। ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସମେତ ଏହି ମିଶନକୁ ଏହାର କାର୍ଯ୍ୟ ଶେଷ କରିବା ପରେ (ସ୍ଲିପ୍‌ ମୋଡ୍‌) ନିଦ୍ରା ମୋଡରେ ରଖାଯାଇଥିଲା। ହେଲେ ଆଶାନୁରୂପ ଏହା ଜାଗ୍ରତ ହୋଇ ନଥିବାରୁ ଏହାର ପରିଚାଳନା ସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

Advertisment

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଶା ରଖିିଥିଲା ଯେ ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେଲେ ଲ୍ୟାଣ୍ଡର ଏବଂ ରୋଭରକୁ ପୁନଃ ସକ୍ରିୟ କରିବ। କିନ୍ତୁ ସେମାନଙ୍କୁ ଜାଗ୍ରତ କରିବାର ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି।

ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ ଏବଂ ଅବତରଣ ପରେ ଏଣ୍ଡ-ଟୁ-ଏଣ୍ଡ କ୍ଷମତା ପ୍ରଦର୍ଶନ କରିବା ପାଇଁ ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ କରାଯାଇଥିଲା। ୨୦୨୩ ଅଗଷ୍ଟ ୨୩ ତାରିଖରେ ଏହା ସଫଳତାର ସହ ଚନ୍ଦ୍ରରେ ଅବତରଣ କରିଥିଲା। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳ ଅବତରଣ ପରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ସେମାନଙ୍କର ଦୁଇ ସପ୍ତାହର କାର୍ଯ୍ୟକାଳ ଶେଷ କରିଥିଲେ।

ଏଥିସହ ସେମାନେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଭୂମି ପରୀକ୍ଷଣ କରିଥିଲେ ଏବଂ ମୂଲ୍ୟବାନ ତଥ୍ୟ ସଂଗ୍ରହ କରିଥିଲେ। ବିକ୍ରମ ଦ୍ୱାରା ଚନ୍ଦ୍ରପୃଷ୍ଠର ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ (ସିଏଏଏସଟିଇ) ନାମକ ଏକ ଅନବୋର୍ଡ ପେଲୋଡ୍‌ ଅପରେସନ ଥିଲା, ଯାହା ପ୍ରଥମ ଥର ପାଇଁ ବିଭିନ୍ନ ଗଭୀରତାରେ ଚନ୍ଦ୍ର ମାଟିର ତାପମାତ୍ରା ମାପିଥିଲା। ଏଭଳି ବିରଳ ସଫଳତା ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ପରିଗଣିତ ହୋଇଥିଲା।

ଉଭୟ ଲ୍ୟାଣ୍ଡର-ରୋଭର ଯୋଡ଼ି ନିଜ ମିଶନ ଶେଷ କରିବା ପରେ ସେମାନଙ୍କୁ ସ୍ଲିପ୍‌ ମୋଡ୍‌ରେ ରଖାଯାଇଥିଲା ଦୁହେଁ ଚନ୍ଦ୍ରରାତ୍ରର ପୂର୍ବ ଚକ୍ରରୁ ବଞ୍ଚି ପାରିଥାନ୍ତେ ବୋଲି ଆଶା କରି ସେମାନଙ୍କୁ ଆଉଥରେ ଉଠାଇବା ପାଇଁ ଏକାଧିକ ପ୍ରୟାସ କରାଯାଉଥିଲା। କୋରୋରେ ଥିବା ୟୁରୋପୀୟ ଷ୍ଟେସନ୍‌ ଏବଂ ବେଙ୍ଗାଲୁରୁର ଆଇଏସ୍‌ଟ୍ରାକ୍‌ ଏଥିପାଇଁ ବ୍ୟାପକ ପ୍ରୟାସ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏପରିସ୍ଥିତିରେ ଚନ୍ଦ୍ରରେ ଆରମ୍ଭ ହୋଇଛି ଅନ୍ଧାରର ରାଜୁତି। ଏଥିସହ ସବୁଦିନ ପାଇଁ ଶୋଇ ପଡ଼ିଛି ଚନ୍ଦ୍ରଯାନ-୩।