ଚେନ୍ନାଇ: ସୋମବାର ଭୋର୍ ୨ଟା ୫୧ ମିନିଟ୍ ସମୟରେ ଚନ୍ଦ୍ରଯାନ-୨ର ଉତ୍କ୍ଷେପଣ ହେବ। ଇସ୍ରୋର ସର୍ବାଧିକ ମହାତ୍ବାକାଂକ୍ଷୀ ମିସନ କୁହାଯାଉଥିବା ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ନେଇ ସମଗ୍ର ବିଶ୍ବରେ ଉତ୍ସୁକତା ଦେଖିବାକୁ ମିଳିଛି। ଏହି ମିସନ୍ କାର୍ଯ୍ୟକାରୀ ହେବା ସହିତ ଭାରତ ପ୍ରଥମ ଥର ପାଇଁ ଚନ୍ଦ୍ରମାରେ ଅବତରଣ କରିବ। ଏଭଳି ସଫଳତା ପାଇବାରେ ଭାରତ ବିଶ୍ବର ଚତୁର୍ଥ ରାଷ୍ଟ୍ର ହେବ। ବିଶ୍ବରେ ଅନ୍ତରୀକ୍ଷ ମହାଶକ୍ତି ଭାବେ ପରିଚିତ ଭାରତ ପାଇଁ ଏହି ମିସନ୍ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ୫୦ ଦିନରୁ ଅଧିକ ସମୟ ଧରି ଚାଲିବାକୁ ଥିବା ଏହି ମିସନ୍କୁ ସଫଳ କରିବା ପାଇଁ ଚେନ୍ନାଇଠାରୁ ୧୦୦ କିମି ଉତ୍ତରରେ ଅବସ୍ଥିତି ଶ୍ରୀହରିକୋଟାରେ ସମସ୍ତ ପ୍ରସ୍ତୁତି ସରିଛି। ପ୍ରାୟ ୫୦ ଦିନ ପରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏହା ୬ କିମ୍ବା ୭ ସେପ୍ଟେମ୍ବରରେ ଅବତରଣ କରିବ ବୋଲି ଅନୁମାନ କରାଯାଉଛି । ୧୧ ବର୍ଷ ପୂର୍ବରୁ ମନମୋହନ ସିଂହଙ୍କ ସରକାର ମଂଜୁରି ଦେଇଥିବା ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ବିଗତ ୩ ବର୍ଷ ମଧ୍ୟରେ ବ୍ୟାପକ ପ୍ରୟାସ ହୋଇଥିଲା। ଏହା ଭାରତର ମହାକାଶ ସ୍ବପ୍ନକୁ ସଂପୂର୍ଣ୍ଣ ନୂଆ ପର୍ଯ୍ୟାୟରେ ପହଞ୍ଚାଇବ। ଚନ୍ଦ୍ରଯାନର ଉତ୍କ୍ଷେପଣ ପାଇଁ ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ତା’ର ସବୁଠାରୁ ଶକ୍ତିଶାଳୀ ରକେଟ୍ ଜିଏସ୍ଏଲ୍ଭି ଏମ୍କେ-୩କୁ ବ୍ୟବହାର କରୁଛି। ଚନ୍ଦ୍ରଯାନ-୨ ଅର୍ବିଟରର କାର୍ଯ୍ୟକାଳ ପ୍ରାୟ ୧ ବର୍ଷ ରହିଥିବା ସୂଚନା ଦିଆଯାଇଛି।
ମିସନ୍ର ନେତୃତ୍ବ ନେଉଛନ୍ତି ମହିଳା ବୈଜ୍ଞାନିକ
ଚେନ୍ନାଇ: ‘ଚନ୍ଦ୍ରଯାନ-୨’ ଅଭିଯାନର ଆରମ୍ଭ ସହିତ ଅନ୍ତରୀକ୍ଷରେ ଭାରତ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଏହା ଭାରତର ପ୍ରଥମ ମହକାଶ ମିସନ୍, ଯାହାର ନେତୃତ୍ବ ମହିଳା ବୈଜ୍ଞାନିକମାନେ ନେଇଛନ୍ତି। ଏହାର ପ୍ରକଳ୍ପ ନିର୍ଦ୍ଦେଶକ ହେଉଛନ୍ତି ବନିତା ମୁଥୟା ଏବଂ ତାଙ୍କର ତଦାରଖରେ ହିଁ ସମସ୍ତ କାର୍ଯ୍ୟ ସଂଚାଳିତ ହେଉଛି। ଏହି ମିସନ୍ର ନିର୍ଦ୍ଦେଶକ ହେଉଛନ୍ତି ରିତୁ କରିଧଲ୍। ଡେଟା ଅନୁଧ୍ୟାନ କରି ସମସ୍ୟା ସମାଧାନ କରିବାରେ ବନିତାଙ୍କ ବିଶେଷ ଦକ୍ଷତା ରହିଛି ଏବଂ ସେ ତାଙ୍କ ଟିମ୍କୁ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟ ସଂପାଦନ ଦିଗରେ ପ୍ରୋତ୍ସାହିତ କରି ଆସିଛନ୍ତି। ଚନ୍ଦ୍ରଯାନ-୧ ମିସନ୍ରେ ମଧ୍ୟ ତଥ୍ୟ ଅଧ୍ୟୟନ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ଏବଂ ଏହି ମିସନ୍ର ଉତ୍କ୍ଷେପଣଠାରୁ ସମାପନ ପର୍ଯ୍ୟନ୍ତ ଅନେକ ଗୁରୁ ଦାୟିତ୍ବ ନିର୍ବାହ କରିଛନ୍ତି ବନିତା। ତେଣୁ ଚନ୍ଦ୍ରାୟନ-୨ ଏବେ ତାଙ୍କରି ନେତୃତ୍ବରେ ପରିଚାଳିତ ହେଉଛି । ଚନ୍ଦ୍ରଯାନ-୨ ମିସନ୍ ପାଇଁ ୩୦୦ ଜଣିଆ ଟିମ୍ କାର୍ଯ୍ୟ କରୁଥିବା ବେଳେ ଏଥିରୁ ପ୍ରାୟ ୩୦ ପ୍ରତିଶତ ମହିଳା।
ସବୁଠାରୁ ଜଟିଳ ମିସନ୍
ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି ଯେ ଲ୍ୟାଣ୍ଡର୍ ବିକ୍ରମର ଅବତରଣ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଏବଂ ଅବତରଣ ପୂର୍ବର ୧୫ ମିନିଟ୍ ସମୟ ଆମ ପାଇଁ ବଡ଼ ଚ୍ୟାଲେଂଜ। ଇସ୍ରୋ ଏହା ପୂର୍ବରୁ ଏତେ ଜଟିଳ ମିସନ୍ରେ କେବେ କାମ କରିନଥିଲା। ତେବେ ଏହି ମିସନ୍ ଏକ ଆରମ୍ଭ ମାତ୍ର ଏବଂ ଏହାପରେ ଇସ୍ରୋ ଚନ୍ଦ୍ରକୁ ମନୁଷ୍ୟ ପଠାଇବା ଅଭିଯାନ ଉପରେ କାମ କରିବ। ଏହା ଗଗନଯାନ ମିସନ୍ର ସଂପ୍ରସାରିତ ରୂପ ହେବ ବୋଲି ସେ କହିଛନ୍ତି।
ଚନ୍ଦ୍ରର ଗଠନ ଅଧ୍ୟୟନ କରିବ ରୋଭର୍
ପ୍ରକ୍ଷେପଣର ୫୨ ଦିନ ପରେ ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ। ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଲ୍ୟାଣ୍ଡର (ବିକ୍ରମ) ଏବଂ ରୋଭର୍ (ପ୍ରଜ୍ଞାନ) ୨୪ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ। ରୋଭର୍ ଏହି ସମୟ ମଧ୍ୟରେ ପ୍ରତି ସେକେଣ୍ଡରେ ୧ ସେଣ୍ଟିମିଟର ଗତିରେ ଚନ୍ଦ୍ରରେ ବୁଲିବ ଏବଂ ଏହାର ଗଠନ ଏବଂ ଉପାଦାନକୁ ନେଇ ଅଧ୍ୟୟନ ସହ ଫଟୋ ଫଟାଇବ। ରୋଭର୍ ୧୪ ଦିନରେ ପ୍ରାୟ ୫୦୦ ମିଟିର ଅତିକ୍ରମ କରିବ। ଅନ୍ୟପକ୍ଷରେ ଅର୍ବିଟର ଚନ୍ଦ୍ରମାର କକ୍ଷରେ ୧୦୦ କିମି ଉଚ୍ଚରେ ପରିକ୍ରମା ୧ ବର୍ଷ ପର୍ଯ୍ୟନ୍ତ ଜାରି ରଖିବ।