ଚନ୍ଦ୍ରୟାନ-୧ରୁ ମିଳିଲା ତଥ୍ୟ:ଚନ୍ଦ୍ରରେ ବରଫ ଥିବା ସ୍ପଷ୍ଟ କଲା ନାସା

ନୂଆଦିଲ୍ଲୀ: ଚନ୍ଦ୍ରର ସବୁଠୁ ଅନ୍ଧାର ଓ ଥଣ୍ଡା ଅଂଶରେ ବରଫ ଆକାରରେ ଜଳ ରହିଛି। ଛୋଟ ଛୋଟ ଖଣ୍ଡରେ ଏହା ଦେଖିବାକୁ ମିଳିଛି। ଚନ୍ଦ୍ରୟାନ-୧ରୁ ହାସଲ କରାଯାଇଥିବା ତଥ୍ୟରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ିଥିବା ନାସା ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୧୦ ବର୍ଷ ପୂର୍ବେ ଭାରତ ଦ୍ୱାରା ଚନ୍ଦ୍ରୟାନ-୧ ପଠାଯାଇଥିଲା। ତେବେ ଏହି ଅଭିଯାନ ସଫଳ ହୋଇଥିବା ନାସା ପକ୍ଷରୁ ଦର୍ଶାଯାଇଛି।
ଚନ୍ଦ୍ରୟାନ-୧ରୁ ହାସଲ କରାଯାଇଥିବା ତଥ୍ୟ ଅନୁସାରେ ଚନ୍ଦ୍ରର ପୃଷ୍ଠଭାଗରେ ଯଥେଷ୍ଟ ବରଫ ରହିଛି। ପୃଷ୍ଠଭାଗରୁ କିଛି ମିଲିମିଟର ପର୍ଯ୍ୟନ୍ତ ଏହି ବରଫ ରହିଛି। ସେହି ଦୃଷ୍ଟିରୁ ଏଠାରେ ଜଳର ମଧ୍ୟ ସନ୍ଧାନ କରାଯାଇ ପାରିବ।

ସେହିଭଳି ଚନ୍ଦ୍ରରେ ବାସ କରିବା ଉପଯୋଗୀ କି ନୁହେଁ, ତାହା ବି ଚିନ୍ତା କରାଯାଇ ପାରିବ ବୋଲି କୁହାଯାଉଛି। ପିଏନ୍‌ଏଏସ୍‌ ନାମକ ଏକ ପତ୍ରିକାରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ଚନ୍ଦ୍ରର ବିଭିନ୍ନ ସ୍ଥାନରେ ବରଫ ଛୋଟ ଛୋଟ ଖଣ୍ଡ ଅବସ୍ଥାରେ ରହିଛି। ସମ୍ଭବତଃ ଏହା ବହୁତ ପୁରୁଣା ହୋଇପାରେ। ଉଲ୍ଲେଖଯୋଗ୍ୟ, ୨୦୦୮ରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଦ୍ୱାରା ମହାକାଶ ଯାନ ଚନ୍ଦ୍ରୟାନ-୧ ପଠାଯାଇଥିଲା। ଏଥିରେ ନାସାର ମୁନ୍‌ ମିନେରୋଲୋଜି ମ୍ୟାପର୍‌ (ଏମ୍‌୩) ଯନ୍ତ୍ରାଂଶ ଖଞ୍ଜାଯାଇଥିଲା। ଚନ୍ଦ୍ରରେ ବରଫ କିମ୍ବା ଜଳ ଅଛି କି ନାହିଁ ତାହା ଠାବ କରିବା ଲାଗି ଚନ୍ଦ୍ରୟାନରେ ଏମ୍‌୩ ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର