ବାଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆସନ୍ତା ୨୧ ତାରିଖ ଅପରାହ୍ଣ କିମ୍ବା ୨୨ ତାରିଖ ସକାଳେ ଚନ୍ଦ୍ରଯାନ-୨ର ଉତକ୍ଷେପଣ କରିପାରେ । ପୂର୍ବରୁ ଏହା ଗତ ୧୫ ତାରିଖରେ ହେବାକୁ ଥିଲେ ମଧ୍ୟ ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ ଶେଷ ମୂହୂର୍ତ୍ତରେ ବାତିଲ କରାଯାଇଥିଲା । ଏହି ତାରିଖ ସଂପର୍କରେ ଇସ୍ରୋ ଆଜି କିମ୍ବା ଆସନ୍ତାକାଲି ଘୋଷଣା କରିବାର ସମ୍ଭାବନା ରହିଛି ।
ପୂର୍ବରୁ ପ୍ରାୟ ୪ ଥର ବାତିଲ ହେବା ପରେ ଜୁଲାଇ ୧୫ ରାତି ୨ଟା ୫୧ମିନିଟରେ ଉତକ୍ଷେପଣ ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଚନ୍ଦ୍ରଯାନକୁ ମହାକାଶରେ ପହଞ୍ଚାଇବାକୁ ଥିବା ଜିଏସଏଲଭି-ମାକ-୩ର କ୍ରାୟୋଜେନିକ ଇଂଜିନିର ହିଲିୟମ ବଟଲରେ ଲିକ୍ ହେବାରୁ ଉତକ୍ଷେପଣର ୫୬ ମିନିଟ ପୂର୍ବରୁ ଏହି ଉତକ୍ଷେପଣକୁ ବାତିଲ କରାଯାଇଥିଲା । ଏବେ ଏହି ତ୍ରୁଟିକୁ ସଜଡାଯାଇଥିବାରୁ ପୁଣି ଥରେ ଉତକ୍ଷେପଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ନିଜ ଅଭିଯାନରେ ସଫଳ ହେଲେ ଏପରି କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ଲଞ୍ଚ କରିଥିଲା । କିନ୍ତୁ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଥିଲା ।