ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କକୁ ନେଇ ଆଜି ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ପୁଣି ସକାରାତ୍ମକ ମତପ୍ରକାଶ ପାଇଛି। ସୁପ୍ରିମ୍କୋର୍ଟ କହିଛନ୍ତି, ଧାରା ୩୭୭ରେ ରହିଥିବା ଅପରାଧ ଦିଗକୁ ଯଦି ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଆନ୍ତା, ତେବେ ଏଲ୍ଜିବିଟି (ଲେସ୍ବିୟାନ୍, ଗେ, ବାଇସେକ୍ସୁଆଲ୍, ଟ୍ରାନ୍ସଜେଣ୍ଡର) ସମ୍ପ୍ରଦାୟର ଲୋକମାନେ କୌଣସି ପ୍ରତିକୂଳ ପରିସ୍ଥିତିର ସାମ୍ନା କରନ୍ତେ ନାହିଁ। ଏମିତି କି କୌଣସି ସାମାଜିକ କଳଙ୍କ ସେମାନଙ୍କୁ ମୁଣ୍ଡାଇବାକୁ ପଡ଼ନ୍ତା ନାହିଁ। ଧାରା ୩୭୭ ଅନୁସାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରାଯାଉଥିବା ବେଳେ ଏହାକୁ ବିରୋଧ କରି ହୋଇଥିବା ଏକାଧିକ ପିଟିସନ୍ର ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ ଗତକାଲି ସମଲିଙ୍ଗୀ ସମ୍ପର୍କ ଉପରେ କିଛି ସକାରାତ୍ମକ ଟିପ୍ପଣୀ ଦେଇଥିଲେ। ଏଥିରୁ ଧାରା ୩୭୭ର ଉଚ୍ଛେଦ ହେବା ନେଇ ସମ୍ଭାବନା ପ୍ରକାଶ ପାଇଥିଲା। ଆଜି ମଧ୍ୟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କ ସପକ୍ଷରେ ନୂଆ ମତ ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଏଲ୍ଜିବିଟି ସମ୍ପ୍ରଦାୟର ଲୋକମାନେ ଗତ କିଛିବର୍ଷ ଧରି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ କରିଆସୁଛନ୍ତି। ଏହାଦ୍ୱାରା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଅଧିକାଂଶ କ୍ଷେତ୍ରରେ ଏହି ଲୋକମାନେ ଅନେକ ବୈଷମ୍ୟର ଶିକାର ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟମାନଙ୍କ ଭଳି ସମଲିଙ୍ଗୀମାନେ ସମାନ ସୁବିଧା ସୁଯୋଗ ପାଉ ନ ଥିବାରୁ ଏହାକୁ ଖଣ୍ଡପୀଠ ଗୁରୁତ୍ୱର ସହ ନେଇ ଦେଶରେ ଏଭଳି କୌଣସି ଆଇନ, ନିୟମ ବା ଗାଇଡ୍ଲାଇନ୍ ଅଛି କି ଯାହାଦ୍ୱାରା ଏମାନେ ସବୁଥିରୁ ବଞ୍ଚିତ ହେଉଛନ୍ତି ବୋଲି ଓକିଲ ମେନକା ଗୁରୁସ୍ୱାମୀଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଦେଶରେ ଏଭଳି କୌଣସି ନିୟମ ନାହିଁ ବୋଲି ଗୁରୁସ୍ୱାମୀ ଦର୍ଶାଇଥିଲେ। ଏହାପରେ ଖଣ୍ଡପୀଠ କହିଥିଲେ ଯେ ସମଲିଙ୍ଗୀ ସମ୍ପର୍କ ସହ ଅପରାଧକୁ ଯୋଡ଼ାଯାଇ ଥିବାରୁ ଏଭଳି ସମସ୍ୟା ଦେଖାଦେଉଛି। ଯଦି ୩୭୭ରେ ଅପରାଧ ଦିଗକୁ ହଟାଇ ଦିଆଯାଆନ୍ତା ତେବେ ଏହି କଳଙ୍କ ଦୂରେଇ ଯାଆନ୍ତା ଏବଂ ସେମାନେ ସବୁ ସୁବିଧା ସୁଯୋଗ ପାଇବାକୁ ସମର୍ଥ ହୁଅନ୍ତେ ବୋଲି ଖଣ୍ଡପୀଠ ଦୋହରାଇଥିଲେ। ଖଣ୍ଡପୀଠରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବ୍ୟତୀତ ବିଚାରପତି ଆର୍ ଏଫ୍ ନରିମାନ୍, ଏ ଏମ୍ ଖାନ୍ଓ୍ଵିଲ୍କର, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଇନ୍ଦୁ ମାଲ୍ହୋତ୍ରା ମଧ୍ୟ ରହିଛନ୍ତି। ଖଣ୍ଡପୀଠ ଆହୁରି ଦର୍ଶାଇଛନ୍ତି ଯେ ବର୍ଷ ବର୍ଷ ଧରି ଭାରତୀୟ ସମାଜରେ ଏଭଳି ପରିସ୍ଥିତି ସୃଷ୍ଟି କରାଯାଇଛି ଯେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଲୋକମାନଙ୍କୁ ନେଇ ଅନ୍ୟମାନଙ୍କ ମନରେ ଭିନ୍ନ ଭାବ ପ୍ରକାଶ ପାଉଛି। ଏହାକୁ ଅନ୍ୟମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଫଳରେ ସେମାନଙ୍କୁ ଅନେକ ସମସ୍ୟା ଦେଇ ଯିବାକୁ ପଡୁଛି। ଉଲ୍ଲେଖଯୋଗ୍ୟ, ସମଲିଙ୍ଗୀ ସମ୍ପର୍କକୁ ନେଇ କେନ୍ଦ୍ର ସରକାର ନିଜ ପକ୍ଷରୁ କୌଣସି ଯୁକ୍ତି ନ ଦର୍ଶାଇ ସୁପ୍ରିମ୍କୋର୍ଟଙ୍କ ଉପରେ ଗତକାଲି ସମସ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଯଦିଓ ସର୍ବୋଚ୍ଚ ଅଦାଲତ ଏହା ସପକ୍ଷରେ ମତ ଦେଇଛନ୍ତି, କିନ୍ତୁ ଏ ନେଇ ଚୂଡ଼ାନ୍ତ ରାୟ ପ୍ରକାଶ କରିନାହାନ୍ତି। ଶୁଣାଣି ବେଳେ ବରିଷ୍ଠ ଓକିଲ ଅଶୋକ ଦେଶାଇ ପୂର୍ବତନ ହାଇକୋର୍ଟ ବିଚାରପତି ଲୀଲା ସେଠ୍ଙ୍କ ପୁଅ ତଥା ଦେଶର ଜଣେ ଜଣାଶୁଣା ଲେଖକ ବିକ୍ରମ ସେଠ୍ଙ୍କ କଥା ଉଠାଇଥିଲେ। ୩୭୭ ଧାରା ଅନୁସାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରାଯାଉଥିବାରୁ ତାଙ୍କ ପୁଅ ଜଣେ ଅପରାଧୀ ବୋଲି ଲୀଲା ସେଠ୍ କହିଥିବା ସେ ଦର୍ଶାଇଥିଲେ। ସେତେବେଳେ ସମଲିଙ୍ଗୀ ବିକ୍ରମ ସେଠ୍ ମଧ୍ୟ ଏହା ଉପରେ ମତ ରଖିବା ସହ ସେ ଜଣେ ଅପରାଧୀ ନୁହନ୍ତି ବୋଲି ଦାବି କରିିଥିଲେ।