ବଦଳିଲା ଅଗ୍ନିବୀର ନିଯୁକ୍ତି ନିୟମ, ଜାଣନ୍ତୁ ନୂଆ ନିୟମ କ’ଣ  ?

ନୂଆଦିଲ୍ଲୀ : ଭାରତୀୟ ସେନା ‘ଅଗ୍ନିବୀର’ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଘୋଷଣା କରିଛି, ଯାହା ଅଧୀନରେ ସେନାରେ ଯୋଗଦେବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କୁ ବର୍ତ୍ତମାନ ପ୍ରଥମେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ) ନେବାକୁ ପଡିବ । ଏହା ପରେ ପ୍ରାର୍ଥୀମାନଙ୍କୁ ଶାରୀରିକ ଫିଟନେସ୍ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା କରିବାକୁ ପଡିବ ।

ପୂର୍ବରୁ ପ୍ରଚଳିତ ପଦ୍ଧତି ଅନୁସାରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ପାଇଁ, ପ୍ରାର୍ଥୀମାନଙ୍କୁ ପ୍ରଥମେ ଶାରୀରିକ ଫିଟନେସ୍ ପରୀକ୍ଷା ଦେବାକୁ ପଡ଼ିଥାଏ, ତା’ପରେ ଡାକ୍ତରୀ ଯାଞ୍ଚ ଏବଂ ସିଇଇ ପାଇଁ ହାଜର ହେବାକୁ ପଡ଼ୁଥିଲା | କିନ୍ତୁ ନୂଆ ନିୟମ ଅନୁସାରେ ପ୍ରଥମ ଅନଲାଇନ୍ ପରୀକ୍ଷା ହେବ ।

ପ୍ରକ୍ରିୟାରେ ପରିବର୍ତ୍ତନ ସମ୍ପର୍କରେ ସେନା ଦ୍ୱାରା ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଛି। ତେବେ ଫେବୃଆରୀ ମଧ୍ୟଭାଗ ସୁଦ୍ଧା ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି ଜଣାପଡ଼ିଛି । ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ନିଯୁକ୍ତି ପାଇଁ ପ୍ରଥମ ଅନଲାଇନ୍ ପରୀକ୍ଷା ଏପ୍ରିଲରେ ଦେଶର ପ୍ରାୟ ୨୦୦ ସ୍ଥାନରେ ଅନୁଷ୍ଠିତ ହୋଇପାରିବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ଅଗ୍ନିବୀର ନିଯୁକ୍ତି ରାଲି ସମୟରେ ଦେଖାଯାଉଥିବା ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ନିଯୁକ୍ତି ପ୍ରକ୍ରିୟାରେ ଏପରି ପରିବର୍ତ୍ତନ କରାଯାଇଛି । ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଗହଳି ହ୍ରାସ ପାଇବ ଏବଂ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବା ସହଜ ହେବ ।

ସମ୍ବନ୍ଧିତ ଖବର