ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନିର୍ବାଚନ ରଣନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ବିରୋଧୀ ଦଳ ନେତାମାନେ ଏବେ ନିର୍ବାଚନୀ ପ୍ରଚାରରେ ହିନ୍ଦୁତ୍ବ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ହିନ୍ଦୁତ୍ବ କାର୍ଡ ପାଇଁ ବିଜେପିକୁ ମିଳିଥିବା ସଫଳତା ଦେଖି ବିରୋଧୀ ଦଳ ନେତାମାନେ ସମାନ ପନ୍ଥା ଅବଲମ୍ବନ କରିଛନ୍ତି। ବିଏସ୍ପି ସୁପ୍ରିମୋ ମାୟାବତୀ ଗତ ଶନିବାର ଦିନ ଲକ୍ଷ୍ନୌରେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ସେ ଅଯୋଧ୍ୟା, ବାରଣାସୀ ଏବଂ ମଥୁରାରେ ବିକାଶ କାର୍ଯ୍ୟ କେବେ ବି ବନ୍ଦ ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ବାରଣାସୀରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ସମୟରେ ଦୁର୍ଗା ସପ୍ତସତୀରୁ ଏକ ମନ୍ତ୍ର ଉଚ୍ଚାରଣ କରିଥିଲେ। ସପା ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଆଜି କାନପୁରରେ ଗଙ୍ଗା ନଦୀ କୂଳରୁ ତାଙ୍କ ବିଜୟ ଯାତ୍ରା ଆରମ୍ଭ କରିବେ। ପୁର୍ବରୁ ଶାହରନପୁରରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ସମୟରେ ଅଖିଳେଶ ପବିତ୍ର ଗୀତା ବହି ସଂକ୍ରାନ୍ତରେ କହିଥିଲେ। ଆପ୍ ମଧ୍ୟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରବେଶ କରିଥିବାବେଳେ ଅଯୋଧ୍ୟାରୁ ଏହାର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛି। ମାୟାବତୀ କହିଛନ୍ତି, ବିଜେପି ସରକାର ଦ୍ବାରା ଅଯୋଧ୍ୟା, ମଥୁରା ଏବଂ ବାରଣାସୀରେ ଆରମ୍ଭ ହୋଇଥିବା କାର୍ଯ୍ୟ ବିଏସ୍ପି କ୍ଷମତାକୁ ଆସିଲେ ମଧ୍ୟ ଜାରି ରହିବ।
ଅନ୍ୟପକ୍ଷେ ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ରାହୁଲ ଗାନ୍ଧି ମନ୍ଦିର ପରିଦର୍ଶନ କରୁଥିଲେ। ପ୍ରିୟଙ୍କା ମଧ୍ୟ ଗତକାଲି ବାରଣାସୀରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ପୂର୍ବରୁ ମନ୍ଦିର ବୁଲିଥିଲେ। ପ୍ରିୟଙ୍କା ମୁଣ୍ଡରେ ତିଳକ ଏବଂ ଚନ୍ଦନ ଲଗାଇ ଓ ବେକରେ ରୁଦ୍ରାକ୍ଷ ମାଳ ପକାଇ କିଷାନ ନ୍ୟାୟ ରୢାଲିରେ ଉଦ୍ବୋଧନ ଦେଇଥିଲେ। ପ୍ରିୟଙ୍କା କହିଥିଲେ ସେ ଉପବାସ ରଖିଛନ୍ତି ଏବଂ ଦୁର୍ଗାଙ୍କର ଏକ ମନ୍ତ୍ର ଉଚ୍ଚାରଣ କରିଥିଲେ। ଭାଷଣ ଆରମ୍ଭ କରିବା ପୂର୍ବରୁ ସେ ‘ଜୟ ମାତା ଦି’ କହିଥିଲେ। ତେବେ ବିରୋଧୀ ଦଳ ନେତାମାନଙ୍କର ରଣନୀତି ବଦଳିବା ପ୍ରସଙ୍ଗରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ କହିଛନ୍ତି, ସେମାନେ ବିଜେପିରେ ସାମିଲ ହୋଇଯିବା ଉଚିତ୍। ଦଳ ସେମାନଙ୍କର ଭବିଷ୍ୟତ ସଂକ୍ରାନ୍ତରେ ଚିନ୍ତା କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/654dg65j4dg65j465dgjgjdgjdgjdgjdgjdgjdgjdgjdgjdgjdgjdgjdgjdgjdgjdgjdgjdgjdgjd.jpg)