ଗଗନଯାନ ମିଶନ ତାରିଖରେ ପରିବର୍ତ୍ତନ, ୨୦୨୪ ଶେଷ ସୁଦ୍ଧା ମହାକାଶକୁ ପଠାଯିବ

ନୂଆଦିଲ୍ଲୀ : ମାନବଯୁକ୍ତ ପ୍ରଥମ ଗଗନଯାନ ମିଶନର ତାରିଖରେ ପରିବର୍ତ୍ତନ କରାଯାଇଛି । ଏବେ ଏହାକୁ ୨୦୨୪ ଶେଷ ସୁଦ୍ଧା ମହାକାଶକୁ ପଠାଯିବ । ପୂର୍ବେ ୨୦୨୨ ଶେଷ ସୁଦ୍ଧା ହିଁ ଏହି ମିଶନକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏଥିରେ ବିଳମ୍ବ ହୋଇଥିଲା ବୋଲି ଭାରତ ସରକାର ବୁଧବାର କହିଛନ୍ତି ।

ମହାମାରୀର ପ୍ରଭାବ, ଲକଡାଉନ ପରେ ଗଗନଯାନ ସହ ଜଡ଼ିତ ବିଭିନ୍ନ ବ୍ୟବସ୍ଥାର ଡିଜାଇନ୍ ଏବେ ଶେଷ ହୋଇଛି ଏବଂ ଏହି କାର୍ଯ୍ୟକ୍ରମ ପରୀକ୍ଷଣ ପର୍ଯ୍ୟାୟରେ ପ୍ରବେଶ କରିଛି ବୋଲି ସରକାର କହିଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ, ଲୋକ ଅଭିଯୋଗ ଓ ପେନସନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଗଗନଯାନର ପ୍ରଥମ ମିଶନ ୨୦୨୨ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ତେବେ କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ବିଦେଶରୁ କଞ୍ଚାମାଲ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ଏବଂ ଶିଳ୍ପଗୁଡ଼ିକରୁ ହାର୍ଡୱେୟାର କ୍ରୟରେ ବିଳମ୍ବ ଯୋଗୁଁ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । କେସିନେନି ଶ୍ରୀନିବାସଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଯେ ଲକଡାଉନ୍ ପରେ ବିଭିନ୍ନ କାର୍ଯ୍ୟସ୍ଥଳରେ ଗଗନଯାନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଭଲ ଅଗ୍ରଗତି ହୋଇଛି ।

ସମ୍ବନ୍ଧିତ ଖବର