ନୂଆଦିଲ୍ଲୀ: ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ଭୋଟଗଣତି  ତାରିଖ । ରବିବାର ପରିବର୍ତ୍ତେ ସୋମବାର (ଡିସେମ୍ବର ୪) ଭୋଟ୍ ଗଣତି ହେବ ବୋଲି ଶୁକ୍ରବାର ଦିନ ନିର୍ବାଚନ କମିସନ ସୂଚନା ଦେଇଛନ୍ତି। ରାଜ୍ୟର ଲୋକମାନଙ୍କ ଦାବିକୁ ମାନି କମିସନ ଏହି ନିଷ୍ପତ୍ତି ନେଇଛନ୍ତି ।

Advertisment

ମିଜୋରାମବାସୀଙ୍କ ପାଇଁ ରବିବାରର ବିଶେଷ ମହତ୍ତ୍ୱ ରହିଛି। କାରଣ ରାଜ୍ୟର ପ୍ରାୟ ୮୭ ପ୍ରତିଶତ ଲୋକ ଖ୍ରୀଷ୍ଟଧର୍ମାବଲମ୍ବୀ ଓ ସେମାନେ ରବିବାର ପ୍ରାର୍ଥନା କରିବାକୁ ଚର୍ଚ୍ଚ ଯାଆନ୍ତି।  ୩ ତାରିଖ ରବିବାର ପଡ଼ୁଥିବାରୁ ଏହାକୁ ବଦଳାଇବାକୁ ଲୋକେ ଦାବି କରିଥିଲେ ।  ଏହି କାରଣରୁ ତାରିଖରେ ପରିବର୍ତ୍ତନ କରାଯାଇଛି । ମିଜୋରାମର ୪୦ଟି ଆସନ ପାଇଁ ନଭେମ୍ବର ୭ତାରିଖରେ ମତଦାନ ହୋଇଥିଲା।

ନିର୍ବାଚନ କମିସନଙ୍କ ମୂଳ ନିଷ୍ପତ୍ତି ଅନୁସାରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ଦିନ ଅର୍ଥାତ୍ ଡିସେମ୍ବର ୩ ତାରିଖରେ ବି ମିଜୋରାମରେ ଗଣତି ହୋଇ ନିର୍ବାଚନ ଫଳାଫଳ ଆସିବାର ଥିଲା।

ମିଜୋରାମ ପାଇଁ କଣ ରହିଛି ଏକଜିଟ୍ ପୋଲ ପୂର୍ବାନୁମାନ ?

ଏବିପି ନ୍ୟୁଜ୍-ସି ଭୋଟର ଏକ୍ଜିଟ୍ ପୋଲ୍ ଅନୁଯାୟୀ ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍ ଏନ୍ ଏଫ୍ ) ୪୦ଟି ଆସନରୁ ୧୫ରୁ ୨୧ଟି ଆସନ ପାଇପାରେ। ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ)କୁ ୧୨ରୁ ୧୮ଟି ଆସନ ମିଳିବ ବୋଲି ଆଶା କରାଯାଉଛି। ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ ଅନୁଯାୟୀ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ)କୁ ୪୦ ଆସନ ବିଶିଷ୍ଟ ବିଧାନସଭାରେ ୧୪ରୁ ୧୮ ଟି ଆସନ ମିଳିପାରେ । ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ)କୁ ୧୨ରୁ ୧୬, କଂଗ୍ରେସକୁ ୮ରୁ ୧୦ ଏବଂ ବିଜେପିକୁ ସର୍ବାଧିକ ୨ଟି ଆସନ ମିଳିପାରେ।