ବଦଳିଲା କେସିଆର୍‌ଙ୍କ ରଣନୀତି, କଂଗ୍ରେସ ସହ ବୁଝାମଣା ପାଇଁ ପ୍ରୟାସ

ଜେଡିଏସ୍‌ ସାଜିବ ମଧ୍ୟସ୍ଥି

ନୂଆଦିଲ୍ଲୀ: କେନ୍ଦ୍ରରେ ଅଣ କଂଗ୍ରେସ ଏବଂ ଅଣ ବିଜେପି ସରକାର ଗଠନ ପାଇଁ ଜୋର୍‌ଦାର ପ୍ରୟାସ ଚଳାଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ଏବେ ତାଙ୍କ ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି। କଂଗ୍ରେସକୁ ଏହି ତୃତୀୟ ବିକଳ୍ପରୁ ଦୂରେଇ ରଖିବା ପାଇଁ ପୂର୍ବରୁ କେସିଆର୍‌ ଦୃଢ଼ମତ ପୋଷଣ କରୁଥିବା ବେଳେ ଏବେ କଂଗ୍ରେସକୁ ସାମିଲ କରିବାକୁ ସଙ୍କେତ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଜେଡିଏସ୍‌ ମଧ୍ୟସ୍ଥି ସାଜିବ ଏବଂ କଂଗ୍ରେସ ମଧ୍ୟ ଏହି ମେଣ୍ଟରେ ସାମିଲ ହେବାପାଇଁ ସବୁ ପ୍ରୟାସ ହେବ ବୋଲି ଜେଡିଏସ୍‌ର ଜଣେ ବରିଷ୍ଠ ନେତା କହିଛନ୍ତି। କେସିଆର୍‌ ମଧ୍ୟ ଝୁଲା ଲୋକସଭା ସ୍ଥିତିରେ କଂଗ୍ରେସକୁ ମେଣ୍ଟରେ ସାମିଲ କରିବା ପାଇଁ ଭିତିରି ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି। ମେ’ ୨୩ ପରବର୍ତ୍ତୀ ବୁଝାମଣାରେ କଂଗ୍ରେସକୁ ବାଦ ଦେଇ କୌଣସି ସାମ୍ମୁଖ୍ୟ ଗଠନ ହୋଇପାରିବ ନାହିଁ ବୋଲି ଅନୁଭବ କରିବା ପରେ କେସିଆର୍‌ ତାଙ୍କ ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି।

ତିନି ଦିନ ତଳେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ କେସିଆର୍‌ ଆଲୋଚନା କରିବା ସହ ‘୧୯୯୬ ଫର୍ମୁଲା’ ଆଧାରରେ ପ୍ରୟାସ ଆଗକୁ ବଢ଼ାଇବାକୁ ଗୁରୁତ୍ବାରୋପ କରିଥିଲେ। ଏହି ଫର୍ମୁଲା କାର୍ଯ୍ୟକାରୀ ହେଲେ ଅଣ କଂଗ୍ରେସ ଏବଂ ଅଣ ବିଜେପି ପ୍ରଧାନମନ୍ତ୍ରୀ ଦେଶରେ ସମ୍ଭବ ହେବ ବୋଲି କେସିଆର୍‌ କହିଥିଲେ। ତେବେ ୟୁପିଏକୁ ବାଦ ଦେଇ ଏହି ମେଣ୍ଟ ଗଠନ ଅବାସ୍ତବ ବୋଲି ମତ ଉଠିବା ପରେ ଏବେ କେସିଆର୍‌ କଂଗ୍ରେସକୁ ସାମିଲ କରିବା ପାଇଁ ଯୋଜନା କରିଛନ୍ତି। ତେବେ ଦକ୍ଷିଣ ଭାରତରୁ ପ୍ରଧାନମନ୍ତ୍ରୀ କରାଯିବାକୁ ଏହି ପ୍ରକ୍ରିୟାରେ ସେ ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ମେ ୨୩ରେ ଲୋକସଭା ନିର୍ବାଚନ ପରିଣାମ ଆସିବା ପରେ ଏ ଦିଗରେ ମିଳିତ ରଣନୀତି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର