ମୁମ୍ବାଇ: ଯେଉଁଠାରୁ ଖେଳ ଆରମ୍ଭ ହୋଇଥିଲା ସେହିଠାରେ ହିଁ ଖେଳ ଶେଷ ହେଲା। ସୁପ୍ରିମ କୋର୍ଟଙ୍କ ନିର୍ଦେଶ ସହିତ ଉପମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ସିପି ନେତା ଅଜିତ ପାୱାରଙ୍କ ଇସ୍ତଫା ଆଜି ମହାରାଷ୍ଟ୍ର ରାଜନୀତିକୁ ପଲଟାଇ ଦେଇଛି। ୨୨-୨୩ ତାରିଖ ରାତିଅଧରେ ଅଜିତଙ୍କ ବିଦ୍ରୋହ ଯୋଗୁଁ ହିଁ ରାଜନୈତିକ ସଙ୍କଟ ଆରମ୍ଭ ହୋଇଥିଲା। ତାଙ୍କ ଦମ୍ଭରେ ହିଁ ରାଜ୍ୟରେ ବି‌େଜପି ନେତା ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଜି ଅଜିତ ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀ ପଦରୁ ଫଡନାଭିସ ମଧ୍ୟ ଇସ୍ତଫା ଦେଲେ। ଫଡନାଭିସ ସ୍ବୀକାର କରିଛନ୍ତି ଯେ ଅଜିତ ଏନସିପିର ୫୪ ଜଣ ବିଧାୟକଙ୍କ ସମର୍ଥନ ପ୍ରତିଶ୍ରୁତି ଦେବାପରେ ହିଁ ସରକାର ଗଠନ ହୋଇଥିଲା। ଏବେ ଅଜିତ ହାତ ଛାଡ଼ିଥିବାରୁ ତାଙ୍କ ପାଖରେ ଆଉ ଆବଶ୍ୟକ ସଂଖ୍ୟା ନାହିଁ। ତେଣୁ ସେ ଇସ୍ତଫା ଦେଉଛନ୍ତି। ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ବିଦ୍ରୋହ କେବଳ ପାୱାର ପରିବ‌ାର ନୁହେଁ, ଏନସିପିରେ ମଧ୍ୟ ଫାଟ ସୃଷ୍ଟି କରିଥିଲା। ବିଦ୍ରୋହ ପରେ ତାଙ୍କୁ ପାର୍ଟିର ବିଧାୟକ ପଦରୁ ହଟା ଯାଇଥିଲେ ମଧ୍ୟ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଅନ୍ୟପକ୍ଷରେ ତାଙ୍କୁ ବୁଝାସୁଝା କରି ଫେରାଇ ଆଣିବା ଲାଗି ପାୱାର ପରିବାର ଓ ଅନେକ ଏନସିପି ନେତା ଉଦ୍ୟମ କରିଥିଲେ।

Advertisment

ତେବେ ଆଜି ସକାଳେ ପାୱ‌ାର ପରିବାରର ଚାପ କାମ ଦେଲା। ଶରଦଙ୍କ ଜ୍ବାଇଁ ତଥା ଝିଅ ସୁପ୍ରିୟା ‌ସୁଲେଙ୍କ ସ୍ବାମୀ ସଦାନନ୍ଦ ସୁଲେ ଆଜି ସକାଳେ ଅଜିତଙ୍କୁ ସେ ରହୁଥିବା ଏକ ‌ହୋଟେଲରେ ଭେଟିଥିଲେ। ଦୀର୍ଘ ସମୟ ଧରି ସେମାନଙ୍କ ଭିତରେ ଆଲୋଚନା ହୋଇଥିଲା। ଏହି ସମୟରେ ଶରଦ ପାୱାର ମଧ୍ୟ ଅଜିତଙ୍କୁ ଫୋନ୍ କରିଥିଲେ। ବିଜେପି ସଂପର୍କର ପୁନର୍ବିଚାର କରିବା ସହିତ ଏନସିପିକୁ ଫେରି ଆସିବା ଲାଗି ପାୱାର ଅଜିତଙ୍କୁ ବୁଝାଇଥିଲେ। ଏହାପରେ ଅଜିତ ସିଧା ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ ସେତେବେଳେ ବିଜେପି ନେତାମାନଙ୍କର ବୈଠକ ଚାଲିଥିଲା। ଅଜିତ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ଧରାଇ ଫେରିଆସିଥିଲେ। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଫଡନାଭିସଙ୍କୁ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଗତ ୪ ଦିନ ଧରି ପାୱାର ପରିବାରର ଅନେକ ସଭ୍ୟ ଅଜିତଙ୍କୁ ଭେଟି ତାଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ। ଏପରିକି ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଗତ ଶନିବାର ଦିନ ଭାବବିହ୍ବଳ ହୋଇ ଅଜିତଙ୍କୁ ଅନୁରୋଧ କରିଥିଲେ। ଏହାସହିତ ପାର୍ଟିର ବରିଷ୍ଠ ନେତା ଜୟନ୍ତ ପାଟିଲ, ଦିଲୀପ ପଟେଲ, ସୁନିଲ ଠାକରେ ଏବଂ ଛଗନ ଭୂଜବଳ ମଧ୍ୟ ଅଜିତଙ୍କୁ ଭେଟି ବୁଝାଇଥିଲେ।