ବି‌ଜେପି ସଂସଦୀୟ ବୋର୍ଡରେ ଅଦଳବଦଳ: ବାଦ୍ ପଡ଼ିଲେ ଗଡ଼କରୀ, ଶିବରାଜ

ଯୋଗୀଙ୍କୁ ସ୍ଥାନ ମିଳିଲାନି, ୟେଦୁରପ୍ପା ସାମିଲ

ନୂଆଦିଲ୍ଲୀ : ବିଜେପିର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା କୁହାଯାଉଥିବା ସଂସଦୀୟ ବୋର୍ଡର ବୁଧବାର ଦିନ ପୁନର୍ଗଠନ କରାଯାଇଛି। ଏଥିରେ ୬ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେ‌େଳ ବୋର୍ଡରୁ ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବାଦ୍ ଦିଆଯାଇଛି। କେବଳ ଏତିକି ନୁହେଁ ଦୀର୍ଘ ୨୦ ବର୍ଷ ଧରି ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହ୍ବାନଙ୍କୁ ମଧ୍ୟ ଏଥର ବୋର୍ଡରେ ସ୍ଥାନ ମିଳିନାହିଁ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ତାଙ୍କୁ ବୋର୍ଡରେ ସାମିଲ କରାଯାଇନାହିଁ।

ବିଜେପି ସଭାପତି ଜେପି ନଡ୍ଡାଙ୍କ ଦ୍ବାରା ପୁନର୍ଗଠିତ ସଂସଦୀୟ ବୋର୍ଡରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସ୍ଥାନ ପାଇଛନ୍ତି। ୟେଦୁରପ୍ପା ଏବଂ ସୋନୱାଲଙ୍କ ସମେତ ୧୦ ସଦସ୍ୟ ବିଶିଷ୍ଟ ନୂଆ ବୋର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ମୁଖ୍ୟ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଓବିସି ମୋର୍ଚ୍ଚା ଅଧ୍ୟକ୍ଷ କେ ଲକ୍ଷ୍ମଣ, ସଂଖ୍ୟାଲଘୁଙ୍କ ପାଇଁ ମିସନ ଅଧ୍ୟକ୍ଷ ଇକବଲ ସିଂହ ଲାଲପୁରା, ପୂର୍ବତନ ବିଜେପି ଉପସଭାପତି ସୁଧା ଯାଦବ ଏବଂ ପୂର୍ବତନ ମନ୍ତ୍ରୀ ସତ୍ୟନାରାୟଣ ଜଟିଆ ସ୍ଥାନ ପାଇଛନ୍ତି। ଲାଲପୁରା ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରଥମ ଶିଖ୍‌ ଭାବେ ଇକବାଲ୍‌ ଲାଲପୁରା ବିଜେପି ସଂସଦୀୟ ବୋର୍ଡରେ ସ୍ଥାନ ପାଇଛନ୍ତି।

ଦଳର ବିଧାନସଭା ତଥା ସଂସଦୀୟ ୟୁନିଟମାନଙ୍କର କାର୍ଯ୍ୟକଳାପକୁ ତଦାରଖ ତଥା ନିୟନ୍ତ୍ରଣ କରିବା ଏବଂ ମନ୍ତ୍ରାଳୟ ଗଠନକୁ ମାର୍ଗଦର୍ଶନ ଦେବା ସହିତ ଜାତୀୟ କାର୍ଯ୍ୟନିର୍ବାହୀ ଅଧୀନରେ ଥିବା ସମସ୍ତ ସଂଗଠନକୁ ନିୟନ୍ତ୍ରଣ କରିବାର କ୍ଷମତା ସଂସଦୀୟ ବୋର୍ଡର ରହିଛି।

ନଡ୍ଡା ମଧ୍ୟ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପୁନର୍ଗଠନ କରିଛନ୍ତି। ୧୫ ସଦସ୍ୟ ବିଶିଷ୍ଟ ଏହି ବୋର୍ଡରେ ନଡ୍ଡାଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ରାଜନାଥ ସିଂହ, ସର୍ବାନନ୍ଦ ସୋନୱାଲ, ବିଏସ୍‌ ୟେଦୁରପ୍ପା, କେ ଲକ୍ଷ୍ମଣ, ଇକବଲ ସିଂହ ଲାଲପୁରା, ସୁଧା ଯାଦବ, ଓମ୍‌ ମାଥୁର, ବିଏଲ ସନ୍ତୋଷ, ସତ୍ୟନାରାୟଣ ଜଟିଆ, ଭୂପେନ୍ଦ୍ର ଯାଦବ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ବିଜେପି ମହିଳା ଶାଖା ମୁଖ୍ୟ ବାନଥୀ ଶ୍ରୀନିବାସନ ଅଛନ୍ତି। ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଶାହନୱାଜ ହୁସେନ‌ ‌କେନ୍ଦ୍ରୀୟ ନିର୍ବାଚନ କମିଟିରୁ ବାଦ୍‌ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର