ବରିଷ୍ଠ ଆଇନଜୀବୀ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ: ଅଭିଜ୍ଞତା ଅନୁଯାୟୀ ମାର୍କ ମାମଲାରେ ସୁପ୍ରିମ୍ କୋର୍ଟଙ୍କ ସହମତି
ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ତାଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ବୁଧବାର ଜଷ୍ଟିସ୍ ୟୁ.ୟୁ. ଲଳିତ, ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ପି.ଏସ୍. ନରସିଂହଙ୍କୁ ନେଇ ଗଠିତ ତିନିଜଣିଆ ବେଞ୍ଚ ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଆବେଦନକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବରିଷ୍ଠ ଆଇନଜୀବୀ ଚୟନ ପାଇଁ ୧୦ରୁ ୨୦ ବର୍ଷର ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ୧୦ ମାର୍କ ମିଳୁଛି। ସୁତରାଂ ଜଣେ ଆଇନଜୀବୀଙ୍କ ନିକଟରେ ୧୦ ବର୍ଷର ଅଭିଜ୍ଞତା ଥିଲେ ସେ ଯେତିକି ମାର୍କ ପାଉଛନ୍ତି ଅନ୍ୟ ଜଣେ ୧୯ ବର୍ଷର ଅଭିଜ୍ଞତା ହାସଲ କରି ମଧ୍ୟ ସେତିକି ମାର୍କ ପାଉଛନ୍ତି। ସେହିପରି ୨୦ ବର୍ଷର ଅଭିଜ୍ଞତା ଥିବା ଆଇନଜୀବୀ ୨୦ ମାର୍କ ସିଧାସଳଖ ପାଉଥିବା ବେଳେ ତଦୂର୍ଦ୍ଧ୍ବ ଅଭିଜ୍ଞତା ହାସଲ କରିଥିବା ବ୍ୟକ୍ତି ମଧ୍ୟ ସେତିକି ମାର୍କ ପାଉଛନ୍ତି। ଯଦି ୧୦ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ବର୍ଷ ପାଇଁ ଅତିରିକ୍ତ ୧ ମାର୍କ ମିଳିବ ତେବେ ଅଧିକ ଅଭିଜ୍ଞତା ଥିବା ଆଇନଜୀବୀଙ୍କ ପ୍ରତି ଯଥୋଚିତ ନ୍ୟାୟ ହେବ ବୋଲି ମତ ରଖିଛନ୍ତି ଇନ୍ଦିରା ଜୟସିଂହ। ନ୍ୟାୟାଳୟ ଜୟସିଂହଙ୍କ ଆବେଦନ ସପକ୍ଷରେ ରାୟ ଦେବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଦେଇଛନ୍ତି। ଏଣିକି ୧୦ ବର୍ଷର ଅଭିଜ୍ଞତା ଥିଲେ ୧୦ ମାର୍କ ମିଳିବ ଏବଂ ତା’ଠୁ ଯେତିକି ଅଧିକ ବର୍ଷର ଅଭିଜ୍ଞତା ଥିବ ସେତିକି ଅଧିକ ମାର୍କ ମିଳିବ। ଇନ୍ଦିରା ଜୟସିଂହଙ୍କ ଆଉ ଏକ ପିଟିସନ ଅନୁସାରେ କେତେକ ହାଇକୋର୍ଟ ବରିଷ୍ଠ ଆଇନଜୀବୀ ଚୟନ ନିମନ୍ତେ ମନଇଚ୍ଛା ଓ ପାତରଅନ୍ତରମୂଳକ ଗୁପ୍ତ ଭୋଟିଂର ପରମ୍ପରା ରହିଛି।
ଜୟସିଂହ ଜାଣିବାକୁ ଚାହିଁଥିଲେ ଏହି ପରମ୍ପରା ସର୍ବୋଚ୍ଚ ଅଦାଲତ ୨୦୧୭ରେ ଦେଇଥିବା ‘ଇନ୍ଦିରା ଜୟସିଂହ ବନାମ ସୁପ୍ରିମ୍କୋର୍ଟ ଅଫ୍ ଇଣ୍ଡିଆ’ ରାୟର ବିରୁଦ୍ଧାଚରଣ କରୁନାହିଁ କି? ତେବେ ଏହା ଉପରେ ରାୟ ଦେବା ପୂର୍ବରୁ କୋର୍ଟ ସଲିସିଟର ଜେନେରାଲଙ୍କ ମତାମତ ଚାହିଁଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ପୂରା ପ୍ରକ୍ରିୟା ଉପରେ ପୁନର୍ବିଚାରର ଆବଶ୍ୟକତା ରହିଛି। ଏଥିପାଇଁ କିଛି ସମୟ ଦିଆଯାଉ। ସର୍ବୋଚ୍ଚ ନ୍ୟାୟାଳୟ ମେ ୯ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୨ ତାରିଖରେ ହେବ। ପୂର୍ବରୁ ଇନ୍ଦିରା ଏକ ରିଟ ପିଟିସନ ଦାୟର କରିଥିଲେ। ସେଥିରେ ଉଲ୍ଲେଖ ଥିଲା କେତେକ ହାଇକୋର୍ଟ ବରିଷ୍ଠ ଆଇନଜୀବୀ ଚୟନ ପ୍ରକ୍ରିୟାରେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ଏଥିପାଇଁ ଚୟନ ପୂର୍ବରୁ କଟ୍ଅଫ୍ ମାର୍କ ଘୋଷଣା କରାଯିବା ସହିତ ପୂର୍ଣ୍ଣ କୋର୍ଟଙ୍କ ଦ୍ବାରା ଦିଆଯାଉଥିବା ଗୁପ୍ତ ମତଦାନ ପ୍ରକ୍ରିୟାକୁ ଉଚ୍ଛେଦ କରାଯିବା ଉଚିତ।