ନୂଆଦିଲ୍ଲୀ: ଭାରତରେ ଧର୍ମାନ୍ତରଣକୁ ନେଇ ଏକ ବଡ଼ ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ ହେବା ଏବଂ ଏହି ଅନ୍ତର୍ଜାତୀୟ ରୢାକେଟ୍‌ର ଜଣେ ମୁଖ୍ୟ ସଂଚାଳକ ଛଙ୍ଗୁର ବାବା ଗିରଫ ହେବାପରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ହିନ୍ଦୁ ଯୁବତୀମାନଙ୍କୁ ଫସାଇବା ପାଇଁ ଭାରତ-ନେପାଳ ସୀମା ଦେଇ ଉତ୍ତରପ୍ରଦେଶର ୭ଟି ଜିଲ୍ଲାର ଯୁବକମାନଙ୍କୁ ଛଙ୍ଗୁର ବାବା ପାଣ୍ଠି ପଠାଇଥିବା ଜଣାପଡ଼ିଛି। ଲଭ୍ ଜିହାଦ ଜରିଆରେ ହିନ୍ଦୁ ଯୁବତୀଙ୍କୁ ପ୍ରଲୋଭିତ କରିବା ପାଇଁ ଛଙ୍ଗୁର ବାବା ପ୍ରାୟ ୧୦୦୦ ମୁସଲମାନ ପୁରୁଷଙ୍କୁ ନଗଦ ଅର୍ଥ ପ୍ରଦାନ କରିଥିବା ତଦନ୍ତରୁ ଜଣାପଡ଼ିଛି।

Advertisment

ଉତ୍ତରପ୍ରଦେଶର ଆତ୍ମଘୋଷିତ ଧର୍ମଗୁରୁ ଜଲାଲୁଦ୍ଦିନ ଓରଫ ଛଙ୍ଗୁର ବାବା ଗତ ତିନି ବର୍ଷ ମଧ୍ୟରେ ହିନ୍ଦୁ ଝିଅମାନଙ୍କୁ ଧର୍ମପରିବର୍ତ୍ତନ ପାଇଁ ଫସାଇବା ନିମନ୍ତେ ବହୁତ ବଡ଼ ଷଡ଼୍‌ଯନ୍ତ୍ର ରଚିଥିଲା। ତା’ର ଏହି ବିଶାଳ ନେଟ୍‌ୱର୍କ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ନେଇ ମଧ୍ୟ କେତେକ ପ୍ରମାଣ ମିଳିଲାଣି। ଗରିବ, ବିଧବା ଏବଂ ଅସୁରକ୍ଷିତ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଧର୍ମାନ୍ତରଣ ରୢାକେଟ ଚଳାଇବା ପାଇଁ   ମୁସଲମାନ ଦେଶଗୁଡ଼ିକରୁ ୫୦୦ କୋଟି ଟଙ୍କା ନେଇଥିବା ଛଙ୍ଗୁର ବାବା  ବିରୋଧରେ ରାଜ୍ୟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଛଙ୍ଗୁର ବାବା ଭାରତ-ନେପାଳ ସୀମା ଦେଇ ଉତ୍ତରପ୍ରଦେଶର ୭ଟି ଜିଲ୍ଲାର ମୁସଲମାନ ପୁରୁଷମାନଙ୍କୁ ଟଙ୍କା ପଠାଇଥିବା ନେଇ ପ୍ରମାଣ ହାସଲ ହୋଇଛି।  ତା’ର ଲଭ୍ ଜିହାଦ ନେଟ୍‌ୱର୍କର ପର୍ଦ୍ଦାଫାସ ହୋଇଥିବାରୁ ଆଗକୁ ଏହି ମାମଲାରେ ବ୍ୟାପକ ଗିରଫଦାରୀ ହେବ ବୋଲି ଜଣାପଡ଼ିଛି।

ଛଙ୍ଗୁର ବାବାର  ସହଯୋଗୀ ନୀତୁ ଓରଫ ନସରିନକୁ ମଧ୍ୟ ଗିରଫ କରାଯାଇ ୭ ଦିନିଆ ଏଟିଏସ୍ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନିତୁ ନସରୀନ ବିଦେଶରୁ ମିଳୁଥିବା ପାଣ୍ଠିର ପରିଚାଳନା କରୁଥିଲା ଗୁଇନ୍ଦା ବ୍ୟୁରୋ (ଆଇବି) ଏବଂ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଅଧିକାରୀମାନେ ଉଭୟଙ୍କୁ ଜେରାରୁ ବିଦେଶୀ ପାଣ୍ଠି ଯୋଗାଣ ନେଟ୍‌ୱର୍କର ପର୍ଦ୍ଦାଫାସ କରିଛନ୍ତି।   ଛଙ୍ଗୁର ବାବାର ପୁଅ ମେହବୁବ ମଧ୍ୟ ପୂର୍ବରୁ ଗିରଫ ହୋଇ ଲକ୍ଷ୍ନୌ ଜିଲ୍ଲା ଜେଲରେ ଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଛଙ୍ଗୁର ବାବା ତା’ ପୁଅର ବ୍ୟାଙ୍କ ଆକାଉଣ୍ଟକୁ ସମ୍ପତ୍ତି କିଣିବା ଏବଂ କାରବାର କରିବା ପାଇଁ ବ୍ୟବହାର କରୁଥିଲା।   ବଳରାମପୁରରେ ଛଙ୍ଗୁର ବାବା ଦ୍ୱାରା ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ବିଶାଳ ବଙ୍ଗଳାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ଏହା ବେଆଇନ ଭାବେ ସରକାରୀ ଜମିରେ ନିର୍ମିତ ହୋଇଥିଲା।