“ତୁମ ଜିଓ କୟାମତ ତକ୍” : ମୋଦୀଙ୍କ ଆଗରେ ଦୁଃଖ ପ୍ରକାଶ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି

ନୂଆଦିଲ୍ଲୀ : ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କୋଭିଡ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଏପରି କଥା କହିଥିଲେ, ତାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ୫ ତାରିଖରେ ଘଟିଥିବା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ ସେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି । “ ତୁମ ଜିଓ କୟାମତ ତକ୍” (ଆପଣ ପ୍ରଳୟ ଆସିବା ପର୍ଯ୍ୟନ୍ତ ବଞ୍ଚନ୍ତୁ ) ବୋଲି ଚନ୍ନି କହିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଥିଲା । ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ ଫ୍ଲାଏଓଭର ଉପରେ ବିକ୍ଷୋଭକାରୀମାନେ ଅଟକାଇ ଦେଇଥିଲେ । ଏହା ଫଳରେ ମୋଦୀଙ୍କ ଗାଡ଼ି ପ୍ରାୟ ୧୫-୨୦ ମିନିଟ ଅଟକି ରହିଥିଲା । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ରଦ୍ଦ କରାଯାଇ ତାଙ୍କୁ ଭଟିଣ୍ଡା ଏୟାରପୋର୍ଟ ଫେରାଇ ଅଣାଯାଇଥିଲା ।

ପ୍ରଧାନମନ୍ତ୍ରୀ ସେଦିନ ପଞ୍ଜାବର ହୋସିଆରପୁର ଓ କାପୁରତାଲାରେ ନିର୍ମିତ ମେଡିକାଲ କଲେଜ ଓ ଫିରୋଜପୁରରେ ଚଣ୍ଡିଗତ ପିଜିଆଇର ସାଟେଲାଇଟ କେନ୍ଦ୍ର ଉଦଘାଟନ ପାଇଁ ଯାଇଥିଲେ । କିନ୍ତୁ ମୋଦୀ ଅଧାରୁ ଫେରିବା ପରେ ସେସବୁର ଉଦଘାଟନ ହୋଇପାରିନାହିଁ । ଏବେ ସେସବୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରିବାକୁ ଚନ୍ନି ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର