ଆପ୍‌ ‘କଳା ଇଂରେଜ’ ପାର୍ଟି: ଚନ୍ନି

ଚଣ୍ଡିଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବୁଧବାର ଆମ୍‌ ଆଦ୍‌ମି ପାର୍ଟିକୁ (ଆପ୍‌)କୁ କଟାକ୍ଷ କରି ‘କଳା ଇଂରେଜ’ ପାର୍ଟି ବୋଲି କହିଛନ୍ତି । ୨୦୨୨ ବିଧାନସଭା ନିର୍ବାଚନ ଜିତିବାକୁ ଏହି କଳା ଇଂରେଜ୍‌ ପାର୍ଟି ଉଦ୍ୟମ କରୁଛି ବୋଲି ସେ କହିଛନ୍ତି। ଚନ୍ନିଙ୍କ ଏହି କଟାକ୍ଷର ଉତ୍ତର ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ତାଙ୍କ ରଙ୍ଗ ସିନା କଳା, ହେଲେ ତାଙ୍କ ଭାଗ୍ୟ ସଫା। ପଞ୍ଜାବରେ ଆପ୍‌ ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଚାଲିଛି। ଏହା ମଧ୍ୟରେ ପଞ୍ଜାବର ମୋଗା ଜିଲ୍ଲାରେ ବନ୍ଧନୀ କଳାରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ଚନ୍ନି ଆପ୍‌କୁ ‘କଳା ଇଂରେଜ’ ବୋଲି ଟିପ୍ପଣୀ କରିଛନ୍ତି।

ଚନ୍ନି କହିଲେ, କେଜ୍ରିୱାଲ କହୁଛନ୍ତି, ଆପ୍‌ ପଞ୍ଜାବରେ ପରବର୍ତ୍ତୀ ସରକାର ଗଠନ କରିବ। କାହିଁ ପଞ୍ଜାବରେ କ’ଣ ଲୋକ ରହୁନାହାନ୍ତି ନା ଯୁବକ ନାହାନ୍ତି? ପଞ୍ଜାବରେ ପଞ୍ଜାବୀ ନାହାନ୍ତି ଯେ କଳା ଇଂରେଜ ପଞ୍ଜାବରେ ରାଜ୍‌ କରିବ? ବୋଲି ଚନ୍ନି କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଚନ୍ନି କହିଛନ୍ତି, ଗୋରା ଇଂରେଜ (ବ୍ରିଟିସ) ମାନଙ୍କୁ ଦେଶରୁ ତଡ଼ି ଦିଆଗଲା। ଏବେ ଏ କଳା ଇଂରେଜ ପଞ୍ଜାବକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରୁଛି। ପଞ୍ଜାବ ହେଉଛି ପଞ୍ଜାବୀମାନଙ୍କର। ଆପ୍‌ ଏଠାରେ ବ୍ୟବଧାନ ସୃଷ୍ଟି ନକରୁ। ଆପ୍‌ ହେଉଛି ବାହାର ଲୋକ। ଏଠାରେ ଶାସନ କରିବାକୁ ଚାହୁଁଛି। ଏ ରାଜ୍ୟର ଲୋକେ କ୍ଷମତାକୁ ଆସିବେ ଆଉ ଶାସନ କରିବେ। କେଜ୍ରୱାଲଙ୍କ ଭଳି ବାହାର ଲୋକ ରାଜ୍ୟବାସୀଙ୍କ ସମସ୍ୟା ବୁଝିପାରିବେ ନାହିଁ କିମ୍ବା ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବେ ନାହିଁ।

ଚନ୍ନିଙ୍କ ଏହି ଟିପ୍ପଣୀରେ ପ୍ରତିକ୍ରିୟା ପ୍ରକାଶ କରି କେଜ୍ରିୱାଲ ଟ୍ବିଟ୍‌ କରିଛନ୍ତି, ଯେବେଠାରୁ ମୁଁ କହିଲି ପଞ୍ଜାବରେ ଆପ୍‌ ସରକାର ଗଠନ କଲେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦିଆଯିବ ସେବେଠାରୁ ଚନ୍ନି ମୋତେ ଗାଳି କରୁଛନ୍ତି। କେଜ୍ରିୱାଲ କହିଲେ, ମୋର ରଙ୍ଗ କଳା ହୋଇପାରେ। ହେଲେ ପଞ୍ଜାବର ମା ଭଉଣୀମାନେ ଏଇ କଳା ପୁଅ ଓ ଭାଇକୁ ପସନ୍ଦ କରନ୍ତି।

ସମ୍ବନ୍ଧିତ ଖବର