ଚନ୍ନିଙ୍କ ବିବାଦୀୟ ବୟାନ ବେଳେ ପ୍ରିୟଙ୍କାଙ୍କ ତାଳି

ରାଜ୍ୟକୁ ୟୁପି, ବିହାରୀ ଭାଇଙ୍କୁ ପୂରାଇ ‌ଦେବୁନି, ବର୍ଷିଲେ ବିରୋଧୀ

ଅମୃତସର : ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବୁଧବାର ଦିନ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତରପ୍ରଦେଶ, ବିହାରର ଭାଇମାନଙ୍କୁ ରାଜ୍ୟରେ ପୂରାଇ ଦେବୁନି କି ଶାସନ କରିବାକୁ ଦେବୁନି ବୋଲି ଚନ୍ନି ବୁଧବାର ଦିନ ରୋପରରେ ଏକ ରୋଡ୍‌ସୋ’ରେ ଟିପ୍ପଣୀ ଦେଇଛନ୍ତି। ଏହି ସମୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ତାଙ୍କ ପାଖରେ ଥିଲେ। ଚନ୍ନି ଏଭଳି ଟିପ୍ପଣୀ ଦେବାବେଳେ ପ୍ରିୟଙ୍କା ତାଳି ମାରିଥିବା ଦେଖିବାକୁ ମିଳିଛି। ଚନ୍ନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ଷେପ କରି ଏଭଳି ଟିପ୍ପଣୀ ରଖିଛନ୍ତି। ‌କେଜ୍ରିୱାଲ୍‌ ଆପ୍‌ ପାଇଁ ପଂଜାବରେ ଜୋରଦା‌ର ପ୍ରଚାର ଚଳାଇଥିବା ବେଳେ ଚନ୍ନିଙ୍କ ବୟାନକୁ ନେଇ ତୀବ୍ର ବିବାଦ ଦେଖିବାକୁ ମିଳିଛି।

ଚନ୍ନି କହିଛନ୍ତି, ପ୍ରିୟଙ୍କା ହେଉଛନ୍ତି ପଂଜାବୀଙ୍କ ବୋହୂ ଏବଂ ଏଠାରେ ତାଙ୍କୁ ସମସ୍ତେ ସ୍ବାଗତ କରୁଛନ୍ତି। କେଜ୍ରିୱାଲ୍‌ ଚନ୍ନିଙ୍କ କଥାର କଡ଼ା ଜବାବ ରଖିଛନ୍ତି। କେଜ୍ରିୱାଲ କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ। କୌଣସି ନିର୍ଦ୍ଦିଷ୍ଟ ଦଳ, ରାଜ୍ୟ ଏବଂ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଏଭଳି ଟା‌ର୍ଗେଟ୍‌ କରିବାକୁ ଆମେ କଡ଼ା ନିନ୍ଦା କରୁଛୁ। ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ ଚନ୍ନିଙ୍କ ବୟାନର ଭିଡିଓ ସେୟାର କରି କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ତେଜସ୍ବୀ କହିଛନ୍ତି, ପ୍ରିୟଙ୍କା ନିଜକୁ ଉତ୍ତରପ୍ରଦେଶର ଝିଅ କହୁଛନ୍ତି କିନ୍ତୁ ଉତ୍ତରପ୍ରଦେଶ-ବିହାର ଲୋକଙ୍କୁ ଅପମାନିତ କରାଯିବା ବେଳେ ସେ ତାଳି ମାରି ଏହାକୁ ସମର୍ଥନ କରିବା ପରିତାପର ବିଷୟ।

ସମ୍ବନ୍ଧିତ ଖବର