ଦିଲ୍ଲୀ ବିମାନ ବନ୍ଦରରେ ଶହ ଶହ ବ୍ୟାଗ୍‌ ଅଦଳ ବଦଳ ଯୋଗୁଁ ହୋହଲ୍ଲା

ନୂଆଦିଲ୍ଲୀ: ଚେକ୍‌ଡ୍‌-ଇନ୍‌ ବ୍ୟାଗ୍‌ରେ ଯାତ୍ରୀମାନେ ପାଓ୍ଵାର୍‌ ବ୍ୟାଙ୍କ୍‌ ଏବଂ ଅନ୍ୟାନ୍ୟ ନିଷିଦ୍ଧ ଜିନିଷ ରଖିଥିବାରୁ ଏହାକୁ ଯାଞ୍ଚ କରି ଛାଡ଼ିବାରେ ସମୟ ଲାଗିବାରୁ ଗୁରୁବାର ଦିନ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ କେତୋଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଯାତ୍ରୀମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିବାବେଳେ ଶହ ଶହ ବ୍ୟାଗ୍‌ ଯଥା ସ୍ଥାନରେ ରହି ନ ପାରି ଅଦଳ ବଦଳ ହୋଇଥିବାରୁ ହୋହଲ୍ଲା ହୋଇଥିଲା।

ଯାତ୍ରୀମାନେ କ୍ଷୋଭ ପ୍ରକାଶ କରିବାକୁ ଟୁଇଟ୍‌ କରିବାବେଳେ ଏୟାର୍‌ଲାଇନ୍‌ ମଧ୍ୟ ଟୁଇଟ୍‌ କରିଥିଲା କି, ପରିସ୍ଥିତି ସେମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଅସୁବିଧା ଯୋଗୁଁ କ୍ଷମାଯାଚନା କରି ଭିସ୍ତା ଏୟାର୍‌ଲାଇନ୍‌ କହିଲା: ଆମେ ଆପଣମାନଙ୍କୁ ସୂଚାଇ ଦେବାକୁ ଯାଉଛୁ କି, ଦିଲ୍ଲୀ ବିମାନବନ୍ଦରରେ ଚେକ୍‌-ଇନ୍‌ ପରେ ବ୍ୟାଗ୍‌ ସବୁକୁ ଯଥାସ୍ଥାନକୁ ନେଇ ରଖାରଖି କରିବାରେ ବିଳମ୍ବ ହେଉଛି। ଉକ୍ତ ବ୍ୟାଗ୍‌ପତ୍ର ସବୁ ସମ୍ପୃକ୍ତ ବିମାନଗୁଡ଼ିକରେ ରଖା ଯାଇ ପାରି ନ ଥିବାରୁ ସମସ୍ତ ଏୟାର୍‌ଲାଇନ୍‌ ପ୍ରଭାବିତ ହୋଇଛି।

ଏୟାର୍‌ଲାଇନ୍‌ସ୍‌ ସବୁ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଆଗରେ ଫେରାଦ ହେବାରୁ ସେମାନେ ମାମଲାରେ ହସ୍ତକ୍ଷେପ କରିଥିଲେ।
ପ୍ରଭାବିତ ଯାତ୍ରୀମାନଙ୍କ ମଧ୍ୟରେ ଥିଲେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମା ମାଳିନୀ ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।

ସମ୍ବନ୍ଧିତ ଖବର