ଚଣ୍ଡିଗଡ଼: ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ ବର୍ଣ୍ଣାଲ ଜିଲ୍ଲାର ଭଦୌରରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡ଼ିଛି।

Advertisment

କଂଗ୍ରେସର ଏହି ଘୋଷଣା ପରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଟ୍ୱିଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, "ମୁଁ କହିଥିଲି ଯେ ଆମର ସର୍ଭେ ଅନୁଯାୟୀ ଚନ୍ନିଜୀ ଚମକୌର ସାହେବରୁ ନିର୍ବାଚନ ଲଢ଼ିଲେ ହାରିବେ। ଆଜି ସେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କଂଗ୍ରେସ ଘୋଷଣା କରିଛି। ଏହାର ଅର୍ଥ ଆମର ସର୍ଭେ ସତ?"

ଉଲ୍ଲେଖଯୋଗ୍ୟ, ୟୁପି ବିଧାନସଭା ନିର୍ବାଚନ ୨୦୨୨ପାଇଁ କଂଗ୍ରେସ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ମୋଟ ୬୧ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି, ସେଥିମଧ୍ୟରୁ ୨୪ ଜଣ ମହିଳା ଥିବା ଜଣାପଡ଼ିଛି। କଂଗ୍ରେସ ବିଲାସପୁରରୁ ଶିଖା ପାଣ୍ଡେ ଥିବା ବେଳେ ଶ୍ରୀ ନଗରରୁ ଚାନ୍ଦନୀ, ଧୌରାହାରାରୁ ଜିତେନ୍ଦ୍ର ଦେବୀ, ବିସବାନରୁ ବନ୍ଦନା ଭାର୍ଗବ, ସରେନିରୁ ସୁଧା ଦ୍ୱିବେଦୀ, କେମଗଞ୍ଜରୁ ଶଙ୍କୁଲତା ଦେବୀ, ଭୋଜପୁରରୁ ଅର୍ଚ୍ଚନା ରାଠୌର, କନ୍ନୌଜରୁ ବିନିତା ଦେବୀ, ଗୋବିନ୍ଦନଗରରୁ କରିସ୍ମା ଠାକୁରକୁ ଟିକେଟ୍ ଦିଆଯାଇଛି।

ବୁଧବାର ଦିନ କଂଗ୍ରେସ ୮୯ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ଜାରି କରିଥିଲା। ତୃତୀୟ ତାଲିକାରେ ୩୭ଜଣ ମହିଳା ପ୍ରାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ୧୨୫ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରଥମ ତାଲିକାରେ ୫୦ ଜଣ ମହିଳା, ଦ୍ୱିତୀୟ ତାଲିକାରେ ୪୧ ଜଣଙ୍କ ମଧ୍ୟରୁ ୧୬ ଜଣ ମହିଳା ଏବଂ ତୃତୀୟ ତାଲିକାରେ ୮୯ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକାରେ ୩୭ ଜଣ ମହିଳା ଅଛନ୍ତି। ଚଳିତ ବର୍ଷ କଂଗ୍ରେସ ମହିଳାଙ୍କ ଉପରେ ଗୁରୁତ୍ବ ଦେଇଥିବା ସହ ଏକାଧିକ ମହିଳାଙ୍କୁ ଟିକେଟ ଦେଇଛି।