ଶପଥ ନେଲେ ଚରଣଜିତ ସିଂହ ଚନ୍ନି: ରନ୍ଧୱା ଓ ସୋନି ଉପମୁଖ୍ୟମନ୍ତ୍ରୀ

ଉତ୍ସବକୁ ଆସିଲେନି ଅମରିନ୍ଦର

ଅମୃତସର: ଚରଣଜିତ ସିଂହ ଚନ୍ନି ଆଜି ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ହେଉଛନ୍ତି ପଂଜାବର ୧୬ତମ ଏବଂ ପ୍ରଥମ ଦଳିତ ଶିଖ୍‌ ମୁଖ୍ୟମନ୍ତ୍ରୀ। ୫୮ ବର୍ଷୀୟ ଦଳିତ ଶିଖ୍‌ ନେତାଙ୍କୁ ଆଜି ରାଜ୍ୟପାଳ ବନୱରିଲାଲ୍‌ ପୁରୋହିତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଥମ ଦଳିତ ଶିଖ୍‌ ମୁଖ୍ୟମନ୍ତ୍ରୀ ହୋଇ ସେ ଏକ ଇତିହାସ ସୃଷ୍ଟି କରିଛନ୍ତି। ସୁଖଜିନ୍ଦର ସିଂହ ରନ୍ଧୱା ଏବଂ ଓପି ସୋନି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହ ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଚନ୍ନି ପଂଜାବ କଂଗ୍ରେସ ପ୍ରଭାରୀ ହରୀଶ ରାୱତଙ୍କୁ ଭେଟିଥିଲେ। ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ହରିଶ ରାୱତ ଏବଂ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଉପସ୍ଥିତ ଥିଲେ। ତେବେ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଉପସ୍ଥିତ ନଥିଲେ।

ପଂଜାବ ବିଧାନସଭା ନିର୍ବାଚନ ପାଇଁ ୬ ମାସରୁ କମ୍‌ ସମୟ ଥିବାବେଳେ ଚନ୍ନିଙ୍କ ହାତରେ ଗୁରୁ ଦାୟିତ୍ବ। କ୍ୟା‌ପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସୁଦ୍ଧା ଦଳରେ କମିନାହିଁ। ଚନ୍ନି ୧୯୬୩ ମସିହାରେ ପଂଜାବର ଭଜୌଲି ଗ୍ରାମରେ ଜନ୍ମ ହୋଇଥିଲେ। ଚମକୌର ସାହିବ ନିର୍ବାଚନ ମଣ୍ଡଳୀରୁ ସେ ୩ ଥର ନିର୍ବାଚିତ ହୋଇଛନ୍ତି। ଅମରିନ୍ଦରଙ୍କ କ୍ୟାବିନେଟ୍‌ରେ ସେ ‌ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। ଉଲ୍ଲେଖଯୋଗ୍ୟ ୧୧୭ ଆ‌ସନ ବିଶିଷ୍ଟ ପଂଜାବ ବିଧାନସଭା କଂଗ୍ରେସର ୮୦ ବିଧାୟକ ରହିଛନ୍ତି। ପଂଜାବ ନିର୍ବାଚନରେ ବିଜୟ ଜାରି ରଖିବା ପାଇଁ କଂଗ୍ରେସ ପ୍ରାଣପଣେ ଲାଗିଲେ ସୁଦ୍ଧା ଚଳିତ ନିର୍ବାଚନ ଏତେ ସହଜ ହେବନାହିଁ ‌ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର