ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍‌ ରାମ୍‌ ରହିମ୍‌ ସିଂହ ୪୦୦ରୁ ଅଧିକ ପୁରୁଷ ଭକ୍ତଙ୍କର ବଳପୂର୍ବକ ବନ୍ଧ୍ୟାକରଣ କରିଥିବା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଆଜି ତାଙ୍କ ବିରୋଧରେ ହରିଆନାର ପଞ୍ଚକୁଳା କୋର୍ଟରେ ଅଭିଯୋଗ ଫର୍ଦ୍ଦ(ଚାର୍ଜ ସିଟ୍‌) ଦାଖଲ କରିଛି। ଦୁଇ ଦୁଇଟି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ପ୍ରତି ୨୦ ବର୍ଷର କାରାଦଣ୍ଡ ଭୋଗୁଥିବା ରାମ୍‌ ରହିମ୍‌ଙ୍କ ସହିତ ତାଙ୍କୁ ଏହି ବନ୍ଧ୍ୟାକରଣରେ ସହଯୋଗ କରିଥିବା ଦୁଇ ଜଣ ଡାକ୍ତର ପଙ୍କଜ ଗର୍ଗ ଏବଂ ଏମ୍‌ପି ସିଂହଙ୍କ ବିରୋଧରେ ମଧ୍ୟ ସିବିଆଇ ଚାର୍ଜ ସିଟ୍‌ ଦାଖଲ କରିଛି।

Advertisment

ଉଲ୍ଲେଖ ଥାଉ କି, ହରିଆନାର ଶୀର୍ଷା ସ୍ଥିତ ଡେରା ସଚ୍ଚା ସୌଦାର ମୁଖ୍ୟ ଆଶ୍ରମରେ ଅଭିଯୁକ୍ତ ଗୁରୁ ରାମ ରହିମ୍‌ ଏହି ଦୁଇ ଡାକ୍ତରଙ୍କୁ ଧରି ୪୦୦ରୁ ଅଧିକ ପୁରୁଷ ଅନୁଗାମୀଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ ବୋଲି ସିବିଆଇ ଦାବି କରିଛି। ମାମଲାର ବିବରଣୀ ଅନୁଯାୟୀ, ୨୦୦୦ରେ ହଂସରାଜ ଚୌହାନ ନାମକ ଜଣେ ଡେରା ଭକ୍ତଙ୍କୁ ବଳପୂର୍ବକ ବନ୍ଧ୍ୟାକରଣ କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ଘଟଣାର ସିବିଆଇ ତଦନ୍ତ ସହ ତାଙ୍କୁ ଏ ବାବଦ କ୍ଷତିପୂରଣ ଦେବା ଲାଗି ସେ ୨୦୧୨ ମସିହାରେ ପଞ୍ଜାବ ଓ ହରିଆନା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ଆଶ୍ରମରେ ପଞ୍ଜାବ, ହରିଆନା ଏବଂ ରାଜସ୍ଥାନର ୪୦୦ରୁ ଅଧିକ ଡେରା ଶ୍ରଦ୍ଧାଳୁଙ୍କ ପ୍ରତି ବଳପୂର୍ବକ ବନ୍ଧ୍ୟାକରଣ ଭଳି ଅମାନୁଷିକ କାର୍ଯ୍ୟ ହୋଇଥିବା ନେଇ ହଂସରାଜ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ। ଏହାଦ୍ୱାରା ଈଶ୍ୱରପ୍ରାପ୍ତି ହୋଇପାରିବ ବୋଲି ରାମ୍‌ ରହିମ୍‌ ଛଳନାତ୍ମକ ଉପଦେଶ ଦେଇ ଏପରି ଅସ୍ତ୍ରୋପଚାର କରାଇଥିଲେ ବୋଲି କୁହାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ୨୦୧୫ ଜାନୁଆରି ୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୩ ବର୍ଷ ପରେ ଏହାର ଚାର୍ଜ ସିଟ୍‌ ଆଜି ଦାଖଲ କରିଛି।