ଚାର୍ଲସ୍‌ ନୂଆ ରାଜା, ଜାଣନ୍ତୁ ବ୍ରିଟେନ ରାଜତନ୍ତ୍ରର ଉତ୍ତରାଧିକାରୀଙ୍କ ସଂପର୍କରେ

ୱିଲିୟମ୍‌ ହେବେ ୱେଲ୍ସର ପ୍ରିନ୍ସ

ଲଣ୍ଡନ : ଜୀବନ ତମାମ ରାଜମୁକୁଟ ପାଇଁ ପ୍ରସ୍ତୁତ ହେବାପରେ ଶେଷ‌ରେ ପ୍ରିନ୍ସ ଚାର୍ଲ‌୍‌ସଙ୍କ ପାଇଁ ୭୩ ବର୍ଷ ବୟସରେ ଏହି ସମୟ ଆସି ପହଞ୍ଚିଛି। ସବୁଠୁ ବୟସ୍କ ବ୍ୟକ୍ତି ଭାବେ ପ୍ରିନ୍ସ ଚା‌ର୍ଲ‌୍‌ସ ବ୍ରିଟେନର ରାଜା ହୋଇଛନ୍ତି। ମା’ ରାଣୀ ଏଲିଜାବେଥ (ଦ୍ବିତୀୟ)ଙ୍କ ମୃତ୍ୟୁ ପରେ ଚାର୍ଲ‌୍‌ସ ସେପ୍ଟେମ୍ବର ୮, ୨୦୨୨ରେ ସ୍ବାଭାବିକ ଭାବେ ରାଜା ହୋଇଛନ୍ତି। ଚାର୍ଲସଙ୍କ ଦ୍ବିତୀୟ ପତ୍ନୀ କାମିଲା ଏବେ ବ୍ରିଟେନର ମହାରାଣୀ ହୋଇଛନ୍ତି। କିନ୍ତୁ ମହାରାଣୀ ଭାବେ ତାଙ୍କୁ ସମସ୍ତ ଅଧିକାର ମିଳିବ ନାହିଁ। ବ୍ରିଟେନ ଏବଂ ଅନ୍ୟ ୧୪ଟି ରାଷ୍ଟ୍ରର ମୁଖ୍ୟ ରହିବେ ଚାର୍ଲସ। ବ୍ରିଟେନ ରାଜତନ୍ତ୍ରର ଉତ୍ତରାଧିକାରୀଙ୍କ ସଂପର୍କରେ –

କିଙ୍ଗ ଚାର୍ଲସ ତୃତୀୟ: ପ୍ରିନ୍ସ ଚାର୍ଲସ ବ୍ରିଟେନ୍ ଏବଂ ଗ୍ରେଟ ବ୍ରିଟେନ୍‌ର ବର୍ତ୍ତମାନର ରାଜା। ଚାର୍ଲସଙ୍କୁ ରାଜପଦରେ ଅଧିଷ୍ଠିତ କରାଯିବା ପାଇଁ ସବୁ ପ୍ରସ୍ତୁତି ସରିଛି।

ପ୍ରିନ୍ସ ୱିଲିୟମ: ଚାର୍ଲ‌୍‌ସ ଏବଂ ସ୍ବର୍ଗତ ରାଣୀ ଡାଏନାଙ୍କ ବଡ଼ ପୁଅ ହେଉଛନ୍ତି ପ୍ରିନ୍ସ ୱିଲିୟମ। କାଟେଙ୍କୁ ସେ ବିବାହ କରିଛନ୍ତି। କାଟେ ହେଉଛନ୍ତି କ୍ୟାମ୍ବ୍ରିଜର ଡଚେସ୍‌। ୱିଲିୟମଙ୍କ ପରେ ତାଙ୍କର ୩ ପିଲା ଉତ୍ତରାଧିକାରୀ କ୍ରମରେ ରହିଛନ୍ତି।

ପ୍ରିନ୍ସ ଜର୍ଜ: କେମ୍ବ୍ରିଜ୍‌ର ପ୍ରିନ୍ସ ଜର୍ଜ‌୍ ହେଉଛନ୍ତି ୱିଲିୟମ ଏବଂ କାଟେଙ୍କ ବଡ଼ ପୁଅ। ଜୁଲାଇ ୨୦୧୩ରେ ‌ସେ ଜନ୍ମ ହୋଇଥିଲେ। ଏବେ ସେ କର୍ନୱାଲ ଏବଂ କେମ୍ବ୍ରିଜ୍‌ର ପ୍ରିନ୍ସ ଜର୍ଜ‌୍ ଭାବେ ବ‌ିବେଚିତ ହେବେ। ୱିଲିୟମ ୱେଲ୍ସର ପ୍ରିନ୍ସ ହେବେ ଏବଂ ଜର୍ଜ ୱେଲ୍ସର ପ୍ରିନ୍ସ ଜର୍ଜ‌୍ ହେବେ।

ପ୍ରିନ୍ସେସ ଚାର୍ଲଟ୍‌: କେମ୍ବ୍ରିଜର ପ୍ରିନ୍ସେସ ଚାର୍ଲଟ୍‌ ମେ’ ୨୦୧୫ରେ ଜନ୍ମ ହୋଇଛନ୍ତି। ୱିଲିୟମ ଏବଂ କାଟେଙ୍କର ସେ ଦ୍ବିତୀୟ ସନ୍ତାନ ଏବଂ ଏକମାତ୍ର ଝିଅ। ୱିଲିୟମ ୱେଲ୍ସର ପ୍ରିନ୍ସ ହେଲେ ଚାର୍ଲଟ୍‌ ୱେଲ୍ସର ପ୍ରି‌ନ୍ସେସ୍‌ ହେବେ।

ପ୍ରିନ୍ସ ଲୁଇସ: ୱିଲିୟମ ଏବଂ କାଟେଙ୍କ ସର୍ବକନିଷ୍ଠ ସନ୍ତାନ ପ୍ରିନ୍ସ ଲୁଇସ ଏପ୍ରିଲ ୨୦୧୮ରେ ଜନ୍ମ ହୋଇଛନ୍ତି। କର୍ନୱାଲ ଏବଂ କେମ୍ବ୍ରିଜ୍‌ର ସେ ପ୍ରିନ୍ସ ଲୁଇସ୍‌ ଭାବେ ବିବେଚିତ ହେବେ। ୱିଲିୟମଙ୍କୁ ୱେଲ୍ସର ପ୍ରିନ୍ସ ଭାବେ ଘୋଷଣା କରାଯିବ ଏବଂ ଲୁଇସ ୱେଲ୍ସର ପ୍ରିନ୍ସ ରହିବେ ।

ପ୍ରିନ୍ସ ହ୍ୟାରି: ଚାର୍ଲ‌୍‌ସ ଏବଂ ଡାଏନାଙ୍କ ସର୍ବକନିଷ୍ଠ ପୁଅ ପ୍ରିନ୍ସ ହ୍ୟାରି ହେଉଛନ୍ତି ସସେକ୍ସର ଡ୍ୟୁକ୍‌। ପତ୍ନୀ ମେଘନ ମାର୍କଲ୍‌ ସସେକ୍ସର ଡଚେସ୍‌। ଉଭୟଙ୍କ ଉପାଧି ଅପରିବର୍ତ୍ତିତ ରହିବ। ଉକ୍ତ ଦମ୍ପତି ରାଜକୀୟ ପାହ୍ୟାର ସୁବିଧା ସୁଯୋଗ ପାଇବା ବନ୍ଦ କରିଦେଇଛନ୍ତି।

ଆର୍ଚି ମାଉଣ୍ଟବ୍ୟାଟେନ ୱିଣ୍ଡସର: ହ୍ୟାରି ଏବଂ ମେଘନଙ୍କ ପୁଅ ଆର୍ଚି ମାଉଣ୍ଟବ୍ୟାଟେନ ୨୦୧୯ ମେ’ ରେ ଜନ୍ମ ହୋଇଛନ୍ତି। କିଙ୍ଗ ଜର୍ଜ‌୍ ପଞ୍ଚମ ୧୯୧୭ରେ ଆରମ୍ଭ କରିଥିବା ନିୟମ ଅନୁଯାୟୀ ଆର୍ଚି ଏବେ ଜଣେ ପ୍ରିନ୍ସ।

ଲିଲିବେଟ ମାଉଣ୍ଟବ୍ୟାଟେନ ୱିଣ୍ଡସର: ୨୦୨୧ରେ ହ୍ୟାରି ଏବଂ ମେଘନଙ୍କ ଔରଷରୁ ଜନ୍ମ ହୋଇଥିବା ଲିଲିବେଟ୍‌ ଏବେ ରାଜକୀୟ ପ୍ରଥା ଦୃଷ୍ଟିରୁ ଜଣେ ପ୍ରି‌ନ୍ସେସ୍‌।

ପ୍ରିନ୍ସ ଆଣ୍ଡ୍ର୍ୟୁ: ରାଣୀ ଏଲିଜାବେଥ (ଦ୍ବିତୀୟ) ଏବଂ ପ୍ରିନ୍ସ ଫିଲିପଙ୍କ ଦ୍ବିତୀୟ ପୁଅ ପ୍ରିନ୍ସ ଆଣ୍ଡ୍ର୍ୟୁ । ତାଙ୍କୁ ରାଜକୀୟ ପାହ୍ୟାରୁ ବିଭିନ୍ନ ବିବାଦ ପାଇଁ ବଞ୍ଚିତ ରଖାଯାଇଛି।

ପ୍ରିନ୍ସେସ୍ ବେଟ୍ରିସ୍‌: ଆଣ୍ଡ୍ର୍ୟୁ ଏବଂ ପୂର୍ବତନ ପତ୍ନୀ ସାରା ଫର୍ଗୁସନ୍‌ଙ୍କ ବଡ଼ ଝିଅ ।

ସିଏନ୍ନା ଏଲିଜାବେଥ: ବେଟ୍ରିସ ଏବଂ ‌ଏଡୋଆର୍ଡୋ ମାପେଲ୍ଲି ମୋଜ୍ଜିଙ୍କ ଝିଅ।

ପ୍ରିନ୍ସେସ୍‌ ୟୁଜିନ: ଆଣ୍ଡ୍ର୍ୟୁ ଏବଂ ସାରାଙ୍କ କନିଷ୍ଠ କନ୍ୟା

ପ୍ରିନ୍ସ ଏଡୱାର୍ଡ: ରାଣୀ ଏଲିଜାବେଥ ଏବଂ ଫିଲିପଙ୍କ ସର୍ବକନିଷ୍ଠ ସନ୍ତାନ ।

ସମ୍ବନ୍ଧିତ ଖବର