ବେଙ୍ଗାଲୁରରେ ପତ୍ନୀ କୋଲକାତାରେ ଶାଶୂଙ୍କୁ ହତ୍ୟା କରି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଆତ୍ମହତ୍ୟା

ପରଦା ହଟାଇଲା ୬୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌

କୋଲକାତା : ଦାମ୍ପତ୍ୟ କଳହର କରୁଣ ପରିଣତି ଚରମ ସୀମାରେ। ବେଙ୍ଗାଲୁରରେ ପତ୍ନୀକୁ ହତ୍ୟା କରିବା ପରେ ବିମା‌ନ ଯୋଗେ କୋଲକାତା ଆସିଲେ। ସେଠାରେ ଶାଶୂଙ୍କୁ ଗୁଳି କରି ହତ୍ୟା କରିବା ପରେ ଅଭିଯୁକ୍ତ ଆତ୍ମହତ୍ୟା କଲେ। ଏଭଳି ହୃଦୟବିଦାରକ ଘଟଣା ଘଟାଇଛନ୍ତି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ଘଟଣାସ୍ଥଳରୁ ପୁଲିସ ଏକ ବନ୍ଧୁକ ଏବଂ ୬୭ ପୃଷ୍ଠା ସମ୍ବଳିତ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ସୁଇସାଇଡ୍‌ ନୋଟ୍‌ଟି ସମଗ୍ର ଘଟଣା ଉପରୁ ପରଦା ହଟାଇଛି।

ସୁଇସାଇଡ୍‌ ନୋଟ୍‌ରୁ ଜଣାପଡ଼ିଛି, ଅଭିଯୁକ୍ତ ଅମିତ ଅଗ୍ରୱାଲ (୪୨)ଙ୍କ ଘର ଉତ୍ତର ୨୪ ପ୍ରଗଣାର ଉତ୍ତରପଡ଼ାରେ। ଅମିତ ଏବଂ ତାଙ୍କ ପତ୍ନୀ ଶିଳ୍ପୀ ଦୁହେଁ ଚାଟାର୍ଡ ଆକାଉଣ୍ଟାଣ୍ଟ। ଦାମ୍ପତ୍ୟ କଳହ ହେତୁ ୨ ବର୍ଷ ହେଲା ଦୁହେଁ ଅଲଗା ରହୁଥିଲେ। ବେଙ୍ଗାଲୁରର ମହାଦେବପୁରରେ ୧୦ ବର୍ଷର ପୁଅ ସହ ରହୁଥିଲେ ଶିଳ୍ପୀ ଏବଂ ଅମିତ କୋଲକାତାରେ। ବିବାହ ବିଚ୍ଛେଦ ପାଇଁ କୋର୍ଟରେ କେସ୍‌ ଚାଲିଥିବାବେଳେ ପୁଅକୁ ନିଜ ପାଖକୁ ଆଣିବା ପାଇଁ ଅମିତ ଚାହୁଁଥିଲେ। ଏହା ସମ୍ଭବ ନହେବାରୁ ସେ ଶିଳ୍ପୀ ସହ ତାଙ୍କ ପରିବାରକୁ ମାରିବା ପାଇଁ ଯୋଜନା କରିଥିଲେ। ସୁଇସାଇଡ୍‌ ନୋଟ୍‌ଟି ୬୬ ପୃଷ୍ଠା ଟାଇପ୍‌ ହୋଇଥିବାବେଳେ ଶେଷ ପୃଷ୍ଠାଟି ହାତ ଲେଖା ଥିଲା। ଏଥିରୁ ଜଣାପଡ଼ିଥିଲା ଅମିତ ବେଙ୍ଗାଲୁରରେ ପତ୍ନୀଙ୍କୁ ହତ୍ୟା କରିବା ପରେ ମଙ୍ଗଳବାର ଦିନ ପୁଅକୁ ସାଙ୍ଗରେ ଧରି ବିମାନ ଯୋଗେ ଆସି କୋଲକାତାରେ ପହଞ୍ଚିଥିଲେ। ବିମାନ ବନ୍ଦରକୁ ଜଣେ ସାଙ୍ଗକୁ ଫୋନ୍‌ କରି ଡାକି ପୁଅକୁ ତାଙ୍କ ଭାଇଙ୍କ ପାଖରେ ଛାଡ଼ିଦେବାକୁ କହିଥିଲେ। ସେଠାରୁ ସେ ସିଧାସଳଖ ଫୁଲବାଗାନସ୍ଥିତ ଶଶୁର ଘରେ ପହଞ୍ଚିଲେ। ସେଠାରେ ଶାଶୂ-ଶଶୁରଙ୍କ ସହ ଝଗଡ଼ା ହେବା ପରେ ନିଜ ବନ୍ଧୁକରୁ ଗୁଳି ମାରି ଶାଶୂ ଲଲିତା ଧନ୍ଦାଣିଆ (୬୦)ଙ୍କୁ ହତ୍ୟା କଲେ। ଶଶୁରଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ହେଁ କୌଣସିମତେ ଶଶୁର ଜୀବନ ବଞ୍ଚାଇ ଖସିଗଲେ। ଘରୁ ବାହାରି ଯିବାବେଳେ ବାହାରପଟୁ ଲକ୍‌ କରିଦେଲେ। ଖବର ପାଇ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଅମିତ ଘର ଭିତରେ ନିଜ ବନ୍ଧୁକରୁ ଗୁଳି ମାରି ନିଜେ ଆତ୍ମହତ୍ୟା କରି ସାରିଥିଲା। ପୁଲିସ ୨ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅମିତ ବ୍ୟବହାର କରିଥିବା ବନ୍ଧୁକକୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର