ମୁମ୍ବାଇ ଘଟକପୋରାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ; ୪ ବିମାନ ଯାତ୍ରୀଙ୍କ ସମେତ ୫ ମୃତ

ମୁମ୍ବାଇ: ମୁମ୍ବାଇର ଘଟକପୋରା ଅଞ୍ଚଳରେ ଆଜି (ଗୁରୁବାର) ଅପରହ୍ଣ ୧ଟା ୩୦ ମିନିଟ ସମୟରେ ଘଟିଥିବା ଘରୋଇ ବିମାନ ଦୁର୍ଘଟଣାରେ ୫ ଜଣଙ୍କର ମୁତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୪ ଜଣ ବିମାନ ଯାତ୍ରୀ ଥିବାବେଳେ, ଅନ୍ୟ ଜଣେ ହେଉଛନ୍ତି ବାହାରର ବ୍ୟକ୍ତି, ଯାହାଙ୍କ ଉପରେ ଦୁର୍ଘଟଣାଗ୍ରସ୍ତ ବିମାନଟିର ଧ୍ୱଂସାବଶେଷ ଖସି ପଡ଼ିଥିଲା। ଦୁର୍ଘାଟଣାଗ୍ରସ୍ତ ବିମାନଟିରେ ୧୨ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ବ୍ୟବସ୍ଥା ଥିଲା। ବିମାନରେ ଥିବା ଯେଉଁ ୪ ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି, ସେମାନେ ହେଲେ ବିମାନର ପାଇଲଟ୍‌ କ୍ୟାପ୍‌ଟେନ୍‌ ପିଏସ୍‌ ରାଜପୁତ୍‌, କୋ- ପାଇଲଟ୍‌ ମାରିଆ ଜୁବେରି, ଏୟାରକ୍ରାଫ୍ଟ ମେଣ୍ଟନାସ ଇଞ୍ଜିନିୟର ସୁରଭି ଏବଂ ଏୟାରକ୍ରାଫ୍ଟ ଟେକ୍‌ନିସିଆନ୍‌ ମନିଷ ପାଣ୍ଡେ। ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ।

ଦୁର୍ଘଟଣାର ପ୍ରାଥମିକ ତଦନ୍ତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କ ଏକ ସ୍ୱତନ୍ତ୍ର ଟିମ୍‌ ଦୁର୍ଘଟଣାସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ତେବେ, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ପକ୍ଷରୁ ଏହି ଦୁର୍ଘଟଣାର ସବିଶେଷ ତଦନ୍ତ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବି ଏସ୍‌ ଭୁଲାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଏହି ବିମାନଟି ଆଉଥରେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପ୍ରାଥମିକ ରିପୋର୍ଟରେ ଦୁର୍ଗଟଣାଗ୍ରସ୍ତ ବିମାନଟି ଉତ୍ତରପ୍ରଦେଶ ସରକାରଙ୍କର ବୋଲି କୁହା ଯାଇଥିବା ବେଳେ ଉତ୍ତରପ୍ରଦେଶ ସରକାରଙ୍କର ପ୍ରମୁଖ ସଚିବ (ସୂଚନା) ଅଭନିଶ୍‌ ଅଓ୍ଵସ୍ତି ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଅବଶ୍ୟ ଏହି ବିମାନଟି ଉତ୍ତରପ୍ରଦେଶ ସରକାରଙ୍କର ଥିଲା। ତେବେ, ଏହ୍ଲାବାଦରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଏହାକୁ ଉତ୍ତରପ୍ରଦେଶ ସରକାର ମୁମ୍ବାଇର ୟୁଓ୍ଵାଇ ଆଭିଏସନ୍‌କୁ ବିକ୍ରି କରି ଦେଇଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆଜି ଅପରାହ୍ଣ ୧ଟା ୩୦ ମିନିଟ ସମୟରେ ସଂପୃକ୍ତ ଘରୋଇ ବିମାନଟି ମୁମ୍ବାଇର ଜୁହୁ ବିମାନ ବନ୍ଦର ଅଭିମୁଖେ ଆକାଶମାର୍ଗରେ ଯାଉଥିବାବେଳେ ଘଟକପୋରା ଅଞ୍ଚଳରେ ଏକ ନିର୍ମାଣଧୀନ ଅଟ୍ଟାଳିକା ନିକଟରେ ଘରୋଇ ଅଞ୍ଚଳ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ତଳକୁ ଖସି ପଡ଼ିବା ପରେ ବିମାନଟିରେ ନିଆଁ ଲାଗି ଯାଇଥିଲା। ଏବଂ ଦୁର୍ଘଟଣାଗ୍ରସ୍ତ ବିମାନଟିର ଧ୍ୱଂସାବଶେଷ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା। ଜନୈକ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି ଯେ ବିମାନଟି ଅବତରଣ କରିବା ପାଇଁ ଉଦ୍ଦ୍ୟମ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଜୁହୁ ଅଗ୍ନିଶମ ସେବାସଂସ୍ଥା କର୍ମଚାରୀମାନେ ନିଆଁଲିଭା ଗାଡ଼ି ଓ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁମାଇ ଜୋନ୍‌-୭ ହିସିପି ଅଖିଳେଶ ସିଂହ ଉଦ୍ଦାର କାର୍ଯ୍ୟର ତଦାରଖ କରୁଛନ୍ତି।

ସମ୍ବନ୍ଧିତ ଖବର