ନୂଆଦିଲ୍ଲୀ: ପଞ୍ଜାବ ପରେ ଏବେ ଛତିଶଗଡ କଂଗ୍ରେସର କଳି ଦିଲ୍ଲୀରେ ପହଞ୍ଚିଛି। ସୂଚନାନୁସାରେ ଆସନ୍ତାକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଦିଲ୍ଲୀ ଗସ୍ତରେ ଯାଉଛନ୍ତି | ଛତିଶଗଡ କଂଗ୍ରେସର ଦାୟିତ୍ୱରେ ଥିବା ପିଏଲ ପୁନିଆଙ୍କ ସହ ଉଭୟ ନେତା ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଚର୍ଚ୍ଚା ମୁତାବକ ଅଢେଇ ବର୍ଷ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇ ନ ଥିବାରୁ ଟି.ଏସ୍ ସିଂହଦେଓ ନାରାଜ ଅଛନ୍ତି ।

Advertisment

ଆଉ ଗତମାସ କଂଗ୍ରେସ ବିଧାୟକ ବୃହସ୍ପତି ସିଂଙ୍କ ସହ ୧୮ ଜଣ ବିଧାୟକ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଥିଲେ | ଟି.ଏସ୍ ସିଂହଦେଓ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିବାର କଂଗ୍ରେସ ବିଧାୟକ ଅଭିଯୋଗ ଆଣିଥିଲେ । ବିଧାୟକ ଅଭିଯୋଗ କରିଥିଲେ ଯେ ଯେବେଠାରୁ ସେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଶଂସା କରୁଛନ୍ତି ସେବେଠାରୁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ଟାର୍ଗେଟରେ ଅଛନ୍ତି।

କଂଗ୍ରେସ ବିଧାୟକ ବୃହସ୍ପତି ସିଂ ଅଭିଯୋଗ କରିଥିଲେ ଯେ ତାଙ୍କ କାର ଉପରେ ଆକ୍ରମଣ କରାଯାଇଥିଲା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ତାଙ୍କୁ ଏବଂ ୪-୫ ଜଣ ବିଧାୟକଙ୍କୁ ଆସନ ପାଇବା ପାଇଁ ହତ୍ୟା କରିବାର ଯୋଜନା କରିଥିଲେ । ବୃହସ୍ପତିଙ୍କ ସହ ୧୮ ଜଣ ବିଧାୟକ ସମାନ କଥା ଦୋହରାଇଥିଲେ |