ସ୍ୱାଧୀନତା ଦିବସରେ ଛତିଶଗଡକୁ ମିଳିଲା ୪ନୂଆ ଜିଲ୍ଲା ଓ ୧୮ଟି ତହସିଲ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଆଜି ଛତିଶଗଡରେ ୪ଟି ନୂଆ ଜିଲ୍ଲା ଓ ୧୮ ଟି ତହସିଲ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବା ସହ ଅନେକ ନୂଆ ଯୋଜନା ବାବଦରେ ସୂଚନା ଦେଇଛନ୍ତି । ରାୟପୁର ପୁଲିସ ପ୍ୟାରେଡ ଗ୍ରାଉଣ୍ଡରେ ଆୟୋଜିତ ପତାକା ଉତ୍ତୋଳନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ ।

ସେ କହିଥିଲେ ଯେ, ଆଜିଠାରୁ ରାଜ୍ୟରେ ମୋହଲାମାନପୁର, ମନେନ୍ଦ୍ରଗଡ, ସାରଙ୍ଗଗଡ ଓ ଶକ୍ତି ନାମରେ ୪ ଟି ଜିଲ୍ଲା ଯୋଡା ଯାଇଛି । ଏହାକୁ ମିଶାଇ ରାଜ୍ୟରେ ଏବେ ୩୨ଟି ଜିଲ୍ଲା ହୋଇଛି। ଏହା ସହିତ ରାଜ୍ୟରେ ନୂଆ ୧୮ ଟି ତହସିଲ ଗଠନ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କେବଳ ସେତିକି ନୁହେଁ ସ୍ୱାଧୀନତା ଦିବସ ଅବସରରେ ମହିଳାମାନଙ୍କ ପାଇଁ ବି କିଛି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରୟାସ ଜାରି ରଖିଥିବା କହିବା ସହ ଏବେ ମହିଳାମାନଙ୍କ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଉଦ୍ୟାନ ନିର୍ମାଣ କରାଯିବ ବୋଲି କହିଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇବା ପାଇଁ କୌଣସି ବୟସ ସୀମା ରହିବ ନାହିଁ । ଏହା ଫଳରେ ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ପାଇଁ କୌଣସି ବୟସରେ ବି ନାଁ ଲେଖାଇ ପାରିବେ । ଏହାସହ ରାଜ୍ୟରେ ଲୋକମାନଙ୍କୁ ରିହାତି ଦରରେ ଔଷଧ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର