ଛତିଶଗଡ଼ : ପିଲାଚୋର ସଂଦେହରେ ସାଧୁ ବେଶଧାରୀ ଲୋକଙ୍କୁ ପିଟିଲେ

ରାୟପୁର : ପିଲାଚୋର ସନ୍ଦେହରେ ପୁଣି ସାଧୁ ବସ୍ତ୍ରଧାରୀ ଲୋକଙ୍କୁ ମାଡ଼ । ଏପରି ଘଟଣା ଘଟିଛି ଛତିଶଗଡ଼ର ଦୂର୍ଗରେ । ଦୁର୍ଗ ସହରରେ ଦଶହରା ଉତ୍ସବ ଚାଲିଥିବାବେଳେ ସାଧୁମାନଙ୍କ ପରି ଲାଲବସ୍ତ୍ରଧାରୀ ୩ ଜଣ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ ଓ ଛୋଟ ପିଲାମାନଙ୍କ ସହ କଥାବାର୍ତ୍ତା କରୁଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଦେହ ଜାତ ହୋଇଥିଲା । ଫଳରେ ଲୋକମାନେ ସେମାନଙ୍କୁ ଧରି ପ୍ରବଳ ମାଡ଼ ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା ।

ସେମାନେ ରାଜସ୍ଥାନର ଲୋକ ବୋଲି ପୁଲିସ ଜାଣିବାକୁ ପାଇଛି । ପଚରାଉଚୁରା ପରେ ପୁଲିସ ସେମାନଙ୍କୁ ଛାଡ଼ିଦେଇଛି । ଅନ୍ୟପକ୍ଷରେ ମାଡ଼ ମାରିଥିବା ଲୋକଙ୍କ ମଧ୍ୟରୁ ୩୦ ଜଣଙ୍କୁ ଚିହ୍ନଟ କରି ପଚରାଉଚୁରା କରାଯାଉଛି ବୋଲି ପୁଲିସ କହିଛି ।

ଗତ ସେପ୍ଟେମ୍ବରରରେ ମହାରାଷ୍ଟ୍ରରେ ଏପରି ଏକ ଘଟଣା ଘଟିଥିଲା । ଉତ୍ତରପ୍ରଦେଶରୁ ଏକ ଗାଡ଼ିରେ ତୀର୍ଥ କରିବାକୁ ଆସିଥିବା ଏହି ୪ ଜଣ ସାଧୁମାନଙ୍କ ପାଇଁ ଏକ ତୀର୍ଥସ୍ଥାନ ପଣ୍ଢାରପୁରର ଠିକଣା ପଚାରିବା ମହଙ୍ଗା ପଡ଼ିଯାଇଥିଲା । ଲାଭଙ୍ଗି ନାମକ ଗ୍ରାମର ଲୋକେ ଏକ ଛୋଟ ପିଲାର କଥାକୁ ବିଶ୍ବାସ କରି ନିରୀହ ସାଧିୁମାନଙ୍କୁ  ପିଲାଚୋର ସଂଦେହରେ ପ୍ରବଳ ମାଡ ଦେଇଥିଲେ । ପରେ ପୁଲିସ ଆସି ସେମାନଙ୍କୁ ବଞ୍ଚାଇଥିଲା ।

ସେହିପରି ଗତ ୨୦୨୦ରେ ମହାରାଷ୍ଟ୍ରର ପାଲଘରରେ ହୋଇଥିବା ଦୁଇଜଣ ସାଧୁଙ୍କ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର