ଏଣିକି ଶସ୍ତା ଓ ନିମ୍ନମାନର ହେଲମେଟ୍ ପିନ୍ଧିଲେ ଗଣିବେ ତଣ୍ଡ, ଜାଣନ୍ତୁ କିଭଳି ହେଲମେଟ୍ ପିନ୍ଧିଲେ ଧରିବ ନାହିଁ ପୁଲିସ୍

ନୂଆଦିଲ୍ଲୀ: ଏଣିକି  ଆଉ ଚଳିବନି ଚାଲୁ/ଶସ୍ତା ହେଲମେଟ୍ । ନିମ୍ନମାନର ହେଲମେଟ୍ ପିନ୍ଧିଲେ ଗଣିବେ ଜରିମାନା । ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ, ବାଇକ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ରାସ୍ତାରେ ଯିବା ବେଳେ ଫାଇନକୁ ଫାଙ୍କିବା ପାଇଁ ବାଇକ ଚାଳକ ମୁଣ୍ଡରେ ଯେକୌଣସି କ୍ୱାଲିଟିର ହେଲମେଟ୍ ପିନ୍ଧୁଛନ୍ତି, ଯାହାକି ସୁରକ୍ଷା ଦୃଷ୍ଟିରୁ ଅନେକ ସମୟରେ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । କାରଣ ଦୁର୍ଘଟଣା ଘଟିଲେ, ଏହି ଶସ୍ତା ହେଲମେଟ୍ ଆପଣଙ୍କ ଜୀବନ ରକ୍ଷା କରିପାରିନଥାଏ ।

ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ନିୟମ ପରେ ନିୟମ ଆଣୁଛନ୍ତି । କିନ୍ତୁ କିଛି ବେପରୁଆ ବାଇକ୍ ଚାଳକ ଟ୍ରାଫିକ୍ ନିୟମ ମାନିବାକୁ ନାରାଜ । ଆଉ କିଛି ଚାଳକ ଫାଇନରୁ ବର୍ତିବା ପାଇଁ ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେଉଛନ୍ତି । କାରଣ ସେମାନେ ସଠିକ୍ ମାନର ହେଲମେଟର ବ୍ୟବହାର କରୁନାହାନ୍ତି ।

ହେଲମେଟ୍ ପାଇଁ ଆସିଲା ନୂଆ ନିୟମ । ‘ହଲମାର୍କ’ ଥିବା ହେଲମେଟ୍ ନ ଥିଲେ ଗଣିବେ ୧୦୦୦ ଟଙ୍କାର ଜରିମାନା । ସଡକ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର । ଏଣିକି ବାଇକ ଚାଳକମାନେ କେବଳ ହଲମାର୍କ ଥିବା ହେଲମେଟ୍ ହିଁ ପିନ୍ଧିପାରିବେ । ଆଉ ବଡ କଥା ହେଉଛି, ଏହି ନିୟମ ନ ମାନିଲେ, ବାଇକ ଚାଳକଙ୍କୁ ଜରିମାନା ଦେବାକୁ ପଡିବ ।

ରାସ୍ତା କଡରେ ଅନେକ ଲୋକ ହେଲମେଟ୍ ବିକ୍ରି କରୁଥିବାର ଦେଖାଯାଏ । ଏହି ହେଲମେଟ୍ କିଣିବାଠୁ ନିଜକୁ ଦୂରେଇ ରଖନ୍ତୁ । କାରଣ ଏହି ହେଲମେଟ୍ ହୁଏତ ଆପଣଙ୍କୁ ଫାଇନ ଦେବାରୁ ବଂଚାଇ ଦେବ କିନ୍ତୁ ଆପଣଙ୍କ ଜୀବନ ରକ୍ଷା କରିପାରିବ ନାହିଁ ।

ସମ୍ବନ୍ଧିତ ଖବର