ଅସହାୟତାର ବାହାନା କରି ବିମାନବନ୍ଦରରେ ଲୋକଙ୍କୁ ଠକୁଥିବା ଠକ ଗିରଫ

ନୂଆଦିଲ୍ଲୀ: ବିମାନ ଧରିପାରିନାହିଁ, କିଛି ଟଙ୍କା ସାହାଯ୍ୟ କରନ୍ତୁ, ବିମାନ ଟିକଟ କରିବି | ମୁଁ ଆନ୍ଧ୍ରପ୍ରଦେଶର ଏହି ନାମୀ ବିଶ୍ୱବିଦ୍ୟାଳୟରେ ପଢେ, ସାହାଯ୍ୟ କରନ୍ତୁ | ମିଛ ବାହାନା କରି କିଛି ଏଭଳି କହି ଯାତ୍ରୀଙ୍କୁ ଠକୁଥିବା ଜଣେ ଠକକୁ ପୁଲିସ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଗିରଫ ହୋଇଥିବା ଯୁବକଙ୍କ ଘର ଆନ୍ଧ୍ରପ୍ରଦେଶରେ ହୋଇଥିବାବେଳେ ନିଜର ବିମାନ ମିସ ହୋଇଯାଇଥିବା କହି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରୁଥିଲା |

କିଛି ଯାତ୍ରୀଙ୍କ ଅଭିଯୋଗ ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରିଥିଲେ | ଏହା ପରେ ସମ୍ପୃକ୍ତ ଯୁବକକୁ ଗିରଫ କରାଯାଇଛି | ଗିରଫ ଅଭିଯୁକ୍ତଙ୍କ ନାମ ଦୀନେଶ କୁମାର ହୋଇଥିବାବେଳେ ସେ ନିଜକୁ ଆନ୍ଧ୍ରପ୍ରଦେଶର ଏକ ନାମୀ ବିଶ୍ୱବିଦ୍ୟାଳୟର ଛାତ୍ର ଭାବେ ପରିଚୟ ଦେଉଥିଲା |

ଅଭିଯୋଗ ମୁତାବକ ଜଣେ ଯାତ୍ରୀ ଯେତେବେଳେ ବିମାନବନ୍ଦରରେ ଓହ୍ଲାଇଥିଲେ, ସେତେବେଳେ ଦୀନେଶ କୁମାର ତାଙ୍କ ପାଖକୁ ଆସି ଏକ କଲେଜର ପରିଚୟ ପତ୍ର ଦେଖାଇଥିଲେ | ଏହା ପରେ ତାଙ୍କର ଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ବିମାନ ଛାଡିଦେଇଥିବାର ଜଣାଇଥିଲେ | ତାଙ୍କ ପାଖରେ ଟଙ୍କା ନଥିବାର କହି ସାହାଯ୍ୟ ମାଗିଥିଲେ | ତେବେ ଦୀନେଶ ଏଭଳି ବାହାନା ଦେଖାଇ ପାଖାପାଖି ୧୦୦ ଜଣଙ୍କୁ ଠକିଥିବାର ଜଣାପଡିଛି |

ସମ୍ବନ୍ଧିତ ଖବର